Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ଆଶ୍ରମିକପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ଯଦୁବଂଶ ଧ୍ୱଂସ ବିବରଣ

୨।

ଧୃତରାଷ୍ଟ୍ରଙ୍କର ବନ ଗମନୋଦ୍‌ଯୋଗ

୩।

କୁନ୍ତୀ, ଗାନ୍ଧାରୀ ସହ ଧୃତରାଷ୍ଟ୍ର, ସଞ୍ଜୟ ଓ ବିଦୁରର ବାନପ୍ରସ୍ଥାଶ୍ରମେ ଗମନ ଓ ତୀର୍ଥଯାତ୍ରା ବର୍ଣ୍ଣନା

୪।

ଯୁଧିଷ୍ଟିରଙ୍କର ସସୈନ୍ୟେ ଧୃତରାଷ୍ଟ୍ରଙ୍କ ନିକଟକୁ ଗମନ ଓ ବିଧବାନାରୀଙ୍କର ସ୍ୱର୍ଗପ୍ରାପ୍ତି

୫।

ବିଦୁରଙ୍କର ଯୁଧିଷ୍ଟିରଙ୍କ ଦେହେ ପ୍ରବେଶ ଓ ଦେହ ସଂସ୍କାର

୬।

ସଞ୍ଜୟର ପଳାୟନ, ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀବନ ଦାହେ ଦହନ ଓ ଅନ୍ତ୍ୟେଷ୍ଟି କ୍ରିୟା

 

ଯଦୁବଂଶ ଧ୍ୱଂସ ବିବରଣ

ଶୁଣ ହୋ ସୁଗ୍ୟଂଜନେ ଶାମ୍ୱକୁମରର କଥା

ଶ୍ରୀମହାଭାରଥ ୟେ ମଧୁର ରସ ଗୀତା।୧।

ଶ୍ରୀଭାରଥ କଥା ୟେ ଅମୃତ ରସବାଣୀ

ସହସ୍ର ବାର ଗଙ୍ଗାୟେ ସ୍ରାନ କରି ଫଳ ଜାଣି।୨।

କଳି କଳୁଷରେ ଲିପ୍ତ ହୋଅନ୍ତି ଯେଉଂ ପ୍ରାଣୀ

ତରନ୍ତି ସଂସାରୁ ୟେ ଭାରଥ ବାଣୀ ଶୁଣି।୩।

ଶାମ୍ୱକୁମର ଆଗେ ଦୃଭାସା ମହାମୁନି

ତୀର୍ଥର ଆଦି ଜନ୍ମ ସୁଦୟା ଚିତ୍ତେ ଭଣି।୪।

ଶୁଣିଣ ସନ୍ତୋଷ ସେ କୃଷ୍ଣର କୁମର

ତହୁଂ ଦୃଭାସ୍ୟା ମୁନି ଯେ ଗଲେ ସ୍ୱର୍ଗପୁର।୫।

ଶାମ୍ୱକୁମର ଆସି ଦ୍ୱାରିକାୟେ ପ୍ରବେଶ

ଅନଙ୍ଗ ପଟାନ୍ତର ତାହାର ତେଜ ପରକାଶ।୬।

ଦେଖିଣ ଆନନ୍ଦ ଯେ କୃଷ୍ଣ କାମପାଳ

ଦ୍ୱାରିକାୟେ କରାଇଲେ ଉତ୍ସବ ମଙ୍ଗଳ।୭।

ଆପଣେ ପୁତ୍ରକଇଂ କୋଳେ ଧଇଲେ ବନମାଳୀ

ଅର୍ଘ୍ୟଂ ବନ୍ଦାବନ୍ତି ଶୁଦ୍ଧ କାମିନୀୟେ ଧରି ସ୍ୱର୍ଣ୍ଣଥାଳି।୮।

ତୁଳମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ସଉରୀ ବାସର

ଅଶ୍ୱିନୀ ନକ୍ଷତ୍ର ଭୋଗ ଅଟେ ସେ ଦିନର।୯।

ସେ ବିଧାତା ଅଷ୍ଟବକ୍ରଂକୁ ରାଇ

ଆଗ୍ୟାଂ ଦିଲେ ଦେଖ କୃଷ୍ଣ ମର୍ତ୍ତ୍ୟେ କି କରଇ।୧୦।

ଭାରା ନିବାରଣ ତ ହୋଇଲା ଅବଶେଷ

ସେ କୃଷ୍ଣ କି ନିମନ୍ତେ ମଞ୍ଚରୁ ନୁଆସନ୍ତି ଆକାଶ।୧୧।

ଯେମନ୍ତେ ଶ୍ରୀକୃଷ୍ଣ ହୋ ଆସନ୍ତି ଆକାଶେ

କୁଟୁମ୍ୱ ନାଶଯାଇ ତାହାର ହିଂ ଦୋଷେ।୧୨।

ପିତାଂକର ବଚନେ ସେ ଅଷ୍ଟବକ୍ର ଋଷି

ଦ୍ୱାରାବତୀ ଭୁବନେଣ ପ୍ରବେଶ ହେଲେ ଆସି।୧୩।

ଯୁଗତେ ସେ ମହାତମା ଅଟନ୍ତି ଅଷ୍ଟବକ୍ର

ଦଖିଣ ଉପହାସ କରନ୍ତି ମଞ୍ଚ ଲୋକ।୧୪।

ଯଦୁବଂଶ ସଭାରେ ବସିଥିଲେ ଯେତେକ ଯାଦବ

କାହାକଇଂ ଭୟେନାହିଂ ତାହାଂକର ମତ୍ତଗର୍ବ।୧୫।

ଯମ ପଶି ନୁଆରଇ ଯେଉଂ ଦ୍ୱାରାବତୀ ପୁରୀ

କୃଷ୍ଣଂକର ପ୍ରସାଦେ ମତ୍ତଗର୍ବ ସବୁଂକରି।୧୬।

ଭାଳେଣି କରନ୍ତି ସମସ୍ତ କୁମାରେ ଯେ ମିଳି

ଶାମ୍ୱକଇଂ ସ୍ତିରୀ ବେଶ କଲେ ହୋଇ କୁତୂହଳୀ।୧୭।

ଲୁହାର କୋପରାୟେ ଆଣିଲେ କୃଷ୍ଣଂକ କୁମାରେ

ଶାମ୍ୱକଇଂ ସ୍ତିରୀବେଶ କରନ୍ତି ଅବିଚାରେ।୧୮।

ଲୁହାର କପୋରାକୁ ପେଟରେ ତାର ବାନ୍ଧି

ମିଛେହେଂ ଅଶକତ ଅଳପ ଅଳପ କାନ୍ଦି।୧୯।

ଯଥାବିଧି ମୁନିଂକି ପ୍ରଳମ୍ୱ ଯାଇଂ କୟେ

ଯେ ଯାହାର ସନମାନେ କଲ୍ୟାଣ କଲେ ମୁନିୟେ।୨୦।

ପୁଚ୍ଛନ୍ତି ସେ କରଯୋଡ଼ି ମୁନିଂକର ଆଗେ

ୟେ କାମିନୀ ଗର୍ଭବାସ ହୋଇଲା ସଂଯୋଗେ।୨୧।

ଦଶମାସ ସଂପୂର୍ଣ୍ଣ ତ ଅଗୁଳି ହୋଇଲା

କିମ୍ପାଇ ୟେ ନାରୀ ଗର୍ଭ ପ୍ରସବ ନୋହିଲା।୨୨।

ମୁନିୟେ ବଡ଼ାଇ କଷ୍ଠୋର ବଥାଇ ୟେହାର ପେଟ

ବଡ଼ ପ୍ରାସ ପାଇଲାନି ପ୍ରସବ ନିକଟ।୨୩।

ପୁତ୍ର ଦୋହିତା ଅବା କିସ ହୋଇବ ଜାତ

କହିବା ମହାମୁନି ୟେଥିର ତଦନ୍ତ।୨୪।

ଧ୍ୟାୟେ ଜାଣିଲେ ତାହା ମୁନି ଯୋଗବଳେ

ହାସ କଥାକୁ ମୁନି ବଡ଼ାଇ କୋପକଲେ।୨୫।

ଅଷ୍ଟବକ୍ରେ ବୋଇଲେ ୟେହାର ଯିସ ଅଛି ଗର୍ଭେ

ତେଣେ ନାଶ ଯିବ ତୁମ୍ଭେ ସମସ୍ତ ଯାଦବେ।୨୬।

ମୁହିଂ ତପୋବନ୍ତ ମୋତେ କଲ ଉପହାସ

କୃଷ୍ଣ ସହ ନାଶଯିବ ତୁମ୍ଭର ସାତବଂଶ।୨୭।

ୟେସନେକ ଶାପ୍ୟ ଦେଇ ଗଲେ ମହାମୁନି

ଦ୍ୱାରିକାୟେ ନପଶିଲେ ଅପମାନ ଘେନି।୨୮।

ଶାପ ପାଇ ସକଳ କୁମାରଇ

କେବଣ ଚରିତ କରିବା ବୋଲି ଭାଳନ୍ତି ତହିଂ ରହି।୨୯।

ହାସ୍ୟ ନିମନ୍ତେ ଆମ୍ଭେ ଯେବଣ କୃତ୍ୟ କଲୁ

ସକଳ ଯାଦବେ ହରି ସହିତେ ତେଣେ ମଲୁ।୩୦।

ଚାଲ ଯାଇ କହିବା ଦେବ ଚଉବାହା

କେବଣ କୃତ୍ୟ ଅବା କରିବେ ଜଗୁନାହା।୩୧।

ପ୍ରଦ୍ୟୁମ୍ନ ସହିତେ ଯେ ସକଳ କୁମାରଇ

କେବଣ ଚରିତ ଅବା କରିବା ବୋଲି ବିଚାରଇ।୩୨।

ବେଗେଣ ଚଳିଗଲେ କୃଷ୍ଣଂକୁ ଯାଇ ଭେଟି

ପ୍ରଳମ୍ୱ କରିଯାଇ ସମସ୍ତେ ପାୟେ ଲୋଟି।୩୩।

ବୋଲନ୍ତି କୁମାରେ ତାଂକୁ କରପତ୍ର ଯୋଡ଼ି

ହସିବାର ନିମନ୍ତେ ଦେବ ଶାମ୍ୱକୁ କଲେ ନାରୀ।୩୪।

ହସିବା ନିମନ୍ତେ ନାଥ ଯେବଣ କୃତ୍ୟ କଲୁଂ

ଅଷ୍ଟବକ୍ର ଋଷିଠାରେ ଶାପ ଯେ ପାଇଲୁ।୩୫।

ଲୁହାର କୋପରାୟେ ଦେବ ପେଟରେ ବାନ୍ଧିଲୁ

ଶାମ୍ୱ କୁମାରକୁ ଆମ୍ଭେ ସ୍ତିରୀ ବେଶ କଲୁ।୩୬।

ଯାଇଣ ଋଷିଂକୁ ଆମ୍ଭେ କହିଲୁ କର ଯୋଡ଼ିକରି

ୟେହି ନାରୀ ହୋଇଛି ଦଶମାସ ଗର୍ଭ ଭାରୀ।୩୭।

କିସ ପ୍ରସବ ଅବା ହୋଇବ ମୁନି ନର ନାରୀ

ୟେହା ମହାମୁନି ତୁମ୍ଭେ କହିବା ବିଚାରି।୩୮।

ଧ୍ୟାୟେ ମୁନି ତଲୟେ କଲେକ ଯେତେବେଳେ

କପଟ ଚରିତ ବୋଲି ଜାଣିଲେ ଯୋଗବଳେ।୩୯।

ଯେବଣ ପୁତ୍ରହିଂ ୟେଥୁ ଉତପତ୍ତି ହୋୟେ

ଯାଦବ ବଂଶ ହରିସହିତେ ଯାଅ ତୁମ୍ଭେ କ୍ଷୟେ।୪୦।

ଯେସନେକ ଶାପ ପାଇଲୁ ନରନାହା

ଗାନ୍ଧାରୀର ଶାପ୍ୟ ହରି ଚିତୋଇଲେ ତାହା।୪୧।

ଶ୍ରୀକୃଷ୍ଣ ବିଚାରିଲେ ୟେସନେକ ସରୂପ

ନପଡ଼ିଣ କିମ୍ପା ଯିବ ଗାନ୍ଧାରୀର ଶାପ।୪୨।

ଅନମିତେ ମୁଂ ଯେ ମରାଇଲି ତାର ବଂଶ

ଯାହା ଅରଜି ତାହା ଭୁଞ୍ଜିବାକ ଅବଶ୍ୟ।୪୩।

ଶ୍ରୀକୃଷ୍ଣ ହକାରିଲେ ଯେ ମନ୍ତ୍ରୀ ଅକ୍ରୁରଇଂ

ତାହାକଇଂ ଶ୍ରୀକୃଷ୍ଣ ଦିଲେ ଆଦେଶଇ।୪୪।

ଯାଅ ତୁ ଅକ୍ରୂର ହୋ ଇନ୍ଦ୍ରପ୍ରଶସ୍ତେ ବେଗେ

ପାଣ୍ଡବଂକ ନବରେ ପଶିବୁ ସଂଯୋଗେ।୪୫।

ପାଣ୍ଡବ ଚାରିଭାଇ ବସାଇଂ ଯୁଝେଷ୍ଠିଂକ ଅଗ୍ରତେ

ମୋହୋର ବଚନ କହିବୁ ଯାଇଣ ତୁରିତେ।୪୬।

ସର୍ବଦା ସେନେହ ବସଇ ମୋର ଚିତ୍ତ

ଭୀମସେନକୁ ଡାକି ଆଣସି ତୁରିତ।୪୭।

ଅଥବା ଯଦି ପୁଣି ନଆସଇ ମାରୁତି

ମୋତେ ସୁମରିବୁ ମୁହିଂ ଯିବଇଂ ସିନା ଧାତି।୪୮।

ସର୍ବଦା ସେନେହ ସେ ଯେ କରଇ ମୋତେ ଭୀମ

ଧାତିକାରେ ନ ଆସି କରଇ ନିକି ତମ।୪୯।

ତକ୍ଷଣେ ଆଗ୍ୟାଂ ଘେନି ଅକ୍ରୁର ବେଗେ ଗଲା

ପାଣ୍ଡବଂକ ଭୁବନେ ପ୍ରବେଶ ହୋଇଲା।୫୦।

ଦେଖଇ ଯୁଝେଷ୍ଠିଦେବ ବସିଅଛନ୍ତି ଆସ୍ତାନେ

ଯାଇଣ ଅକ୍ରୁର ପ୍ରଳମ୍ୱ କଲାକ ବହନେ।୫୧।

ଶ୍ରୀକୃଷ୍ଣଂକ ଆଗ୍ୟାଂ କହିଲା ବେଗେ ଯାଇ

ଭୀମସେନକଇଂ ତହୁଂ ଆଣିଲା ହକରାଇ।୫୨।

ଦ୍ୱାରିକା ଭୁବନେ ଭୀମସେନ ପ୍ରବେଶ ହୋୟେ

କୋଳକରି ଶ୍ରୀକୃଷ୍ଣ ଆଲିଙ୍ଗନ କୟେ।୫୩।

କୃତକୃତ୍ୟ ହୋଇ ହରି ପୁଚ୍ଛନ୍ତି ବାରତା

ତୋହୋରି ପ୍ରସାଦେ ହରି କୁଶଳ ସର୍ବକଥା।୫୪।

ଭୀମର ଆଗେ କ୍ରୋଧେ କହନ୍ତି ହୃଷୀକେଶ

ଲୁହାର କୋପରା ଗୋଟି ଦେଖାଇଲେ ପାଶ।୫୫।

ବାବୁ ଭୀମସେନରେ ଆତ୍ମା ସାର୍ଥୁକ କର ମୋତେ

ୟେ ଲୁହା କୋପରା ନାଶ ହୋଅଇ ଯେମନ୍ତେ।୫୬।

କ୍ଷୀରୋଦ୍ର ପାଖେଣ ଯେ ପାଷାଣ ୟେକ ଗିରି

ବିଶାଶତେ ଯୋଜନ ଆୟତନ ବିସ୍ତାରି।୫୭।

ସେ ପର୍ବତ ପରେ ଯେ ଘୋର ନେଇ ୟେହା

ଯେସନେ ବିନଶ୍ୟତି ହୋଅଇ ୟେହୁ ଲୋହା।୫୮।

ଭୀମସେନ ଲୋହା କୋପରା ଘେନି ଯାୟେ

ଦ୍ୱାରିକା ପୁରକୁ ଯୋଜନ ଅଟେ ବିଶା ଶୟେ।୫୯।

ସେ ପର୍ବତ ଉପରେ ଯେ ଭୀମସେନ ଉଠି କରି

ରାତ୍ର ଦିବସେଣ ଯେ ଜଳ ଦେଇ ଘୋରି।୬୦।

ପବନ ଦେବତା ଭୀମକୁ ନେଇ ଦେଉଥାଇ ଆହାର

ଦିବାରାତ୍ରେ ଘୋରିଲା ସେ ବରଷ ୟେଗାର।୬୧।

ନ ଖଣ୍ଡିତ କରି ତହିଂ ପଳାଇଲା ଛିଣ୍ଡାଇ

ଛିଦ୍ର ଖଣ୍ଡି ମାତ୍ର ହାଥରେ ଅଛି ରହି।୬୨।

ରେଣୁ ପ୍ରମାଣେ ରହି ସକଳ ଛିଡ଼ିଗଲା

ସନ୍ତରାବଣ ହୋଇ କୂଳରେ ଲାଗିଲା।୬୩।

ଘୋରନ୍ତେଣ କୋପରା ହୋଇଲା ନିର୍ଣ୍ଣଇ

ମନେ ମନେ ଭାଳଇ ଭୀମସେନ ଆପଣେ ଆପଣାଇଂ।୬୪।

ୟେ କ୍ଷୁଦ୍ର ଖଣ୍ଡି ଯେ ହୋଇବାକ କିସ

ୟେତେ କୋପରା ଘୋରି କରି ଅବଶେଷ।୬୫।

ବହୁତ ଛିନାଇଣ ପକାଇଲି ଘୋରି

ପୁଣି ବ୍ରିକୋଦର ଭାଳଇ ବିଚାରି।୬୬।

କ୍ଷୁଦ୍ର ଖଣ୍ଡି ଆନେ ମୁହିଂ କରିବଇଂ କିସ

ଅଷ୍ଟବକ୍ର ଦିଲା ଶାପ୍ୟ ହେଲା ଅବଶେଷ।୬୭।

ଭାଳିଣ ବ୍ରିକୋଦର ସମୁଦ୍ର ଭିତରକୁ ପକାଇଣ ଦିଲା

ସମୁଦ୍ର ଭିତରେ ସେ ମୀନେକ ଚରୁଥିଲା।୬୮।

ଅଗାଧ ସମୁଦ୍ରେଣ ପଡନ୍ତେଣ ଲୁହା

ଜଳଙ୍ଗ ମୀନ ତକ୍ଷଣେ ଗିଳିଲାକ ତାହା।୬୯।

ଗିଳନ୍ତେଣ ଦିଶିଲା ସେ କନକ ମୀନ ପ୍ରାୟେ

ସମୋଦ୍ର ଯାକ ସବୁ ଦିଶିଲା ଆଲୋକମୟେ।୭୦।

ତହୁଂ ଭୀମସେନ ବାହୁଡ଼ିଣ ଆୟେ

ଆସିଣ ସେ ଶ୍ରୀହରି ଛାମୁରେଣ ହୋୟେ।୭୧।

ସମସ୍ତ ଘୋରି ଦେବ ପକାଇଲି ସାରି

ଘୋରନ୍ତେ ଭୂମିସରି ହୋଇଲା ତୋତେ ଗିରି।୭୨।

ଶେଷଖଣ୍ଡକ ଦେବ ଘୋରି ନୁଆରିଲି

ତାହାକୁ ସମୋଦ୍ର ଭିତରେଣ ପକାଇଣ ଦିଲି।୭୩।

ଭାଳନ୍ତି ଶ୍ରୀକୃଷ୍ଣ ଭୀମର ବଚନ ଯେ ଶୁଣି

ଅଷ୍ଟବକ୍ର ଶାପ ତ ହୋଇଲା ନିର୍ବାଣି।୭୪।

ସେ ଲୁହା କୋପରା ହୋଇଲା କାଳଇ

ୟେସନେକ ବୋଲି ହରି ମନେ ମନେ ଭାଳଇ।୭୫।

ଭୀମସେନ ତାହା ଘୋରିଲାକ ନେଇ

କିମ୍ପେ ଉପୁଜିଲା ସନ୍ତରାବଣ ହୋଇ।୭୬।

ଶେଷ ଖଣ୍ଡିକ କିମ୍ପେ ନୁଆରିଲା ଘୋରି

ସେ ଖଣ୍ଡି ପ୍ରାଣ ୟେ ହରିବ ମୋହୋରି।୭୭।

ଅନେକ ପୂଜା ଭୀମକୁ କଲେ ଦେବକୀର ବାଳେ

ଭୁଜରେ ଭିଡ଼ି ତାକୁ ବସାଇ ଦେବ କୋଳେ।୭୮।

ସର୍ବଦା ଅନୁରାଗ ମୋତେ ଥିବ ଟିକିରେ ଭୀମ

ଦୋଷେ ଅଦୋଷେ ମୋତେ ନ ଧରିବୁଟି ତମ।୭୯।

ଅନେକ ମଣିରତ୍ନ ଘେନି ଦେବ କଲେ ପୂଜା

ହସ୍ତିନା ପ୍ରବେଶ ହୋୟେ ଯେ ପବନ ଆତ୍ମଜା।୮୦।

ଧର୍ମସୁତ ଚରଣେ କରଇ ନମସ୍କାର

ଦେଖିଣ କଲ୍ୟାଣ ଯେ କଲେ ଧର୍ମ ନୃପବର।୮୧।

ଯୁଝେଷ୍ଠି ବୋଇଲେ ହୋ କେବଣ କାର୍ଯ୍ୟ ଅର୍ଥେ

ଶ୍ରୀକୃଷ୍ଣ କିମ୍ପେ ତୋତେ ନିଆଇଲେ ଗୁପତେ।୮୨।

ଭୀମସେନ ବୋଲଇ ଦେ ବଅଷ୍ଟବକ୍ର ମହଋଷି

ୟେକ ଦିନକେ ସେ ଦ୍ୱାରିକାୟେ ଆସି।୮୩।

ମତ୍ତଗର୍ବେ ମୁନିଂକି ଚାଳିବା ନିମନ୍ତେ

ଲୋହା କୋପରା ବାନ୍ଧିଲେ ଶାମ୍ୱକୁମର ଗର୍ଭ ଗତେ।୮୪।

ସ୍ତ୍ରୀ ବେଶ ଅଳଂକାର ତାହାକଇଂ କଲେ

ଅଷ୍ଟବକ୍ର ଋଷିଂକଇଂ ପ୍ରଳମ୍ୱ କରାଇଲେ।୮୫।

ମୁନି ୟେ ଦଶମାସ ହୋଇଲା ଗର୍ଭଭାରୀ

ୟେହାର ଗର୍ଭେ କିସ ହୋଇବ ପୁତ୍ର କିବା ନାରୀ।୮୬।

କିମ୍ପେ ପ୍ରସବ ନୋହି ପାଉଅଛି ବ୍ୟଥା

ଜାଣି କହ ମହାତ୍ମା ୟେ ୟେଥିର ତଥିକଥା।୮୭।

ଧ୍ୟାନେ ଜାଣିଲେ ମୁନି ୟେ କରନ୍ତି ଉପହାସ୍ୟ

ବୋଇଲେ ତେଣେ ତୁମ୍ଭର ବଂଶ ହେଉ ନାଶ।୮୮।

କୃଷ୍ଣ ସହିତେଣ ୟେ କପୋରାୟେ ମରୁ

ଶୁଣିଣ ଶ୍ରୀକୃଷ୍ଣଂକୁ ଲାଗିଲା ମହାଗରୁ।୮୯।

ମୋତେ ଡକାଇ ବୋଇଲେ ଘୋର ନେଇ ୟେହା

ନିଖଣ୍ଡି କରି ଛିନ୍ନାଇ ପକାଇବୁ ୟେ ଲୁହା।୯୦।

ସ୍ୱାମୀ ସମୋଦ୍ର ତଟରେ ଯେ ନୀଳ ନାମେ ଗିରି

ବିଶାଶତେ ଯୋଜନ ଯେ ଉତ୍ସର୍ଗ ତାହାରି।୯୧।

ତହିଂକି ଲାଗଇ ଦେବ କଳପ ବଟର ଛାଇ

ତହିଂର ତଳେ ବସି ମୁଂ ଘୋରିଣ ପକାଇ।୯୨।

ୟେକାଦଶ ବରଷେ ଲୁହା ଯେ ଛିଡ଼ିଲା

ନୀଳଗିରି ପର୍ବତ ଭୂମି ସରି ହୋଇଲା।୯୩।

ୟେକ ଛିଦ୍ର ଲିତାୟେ ନୁଆରିଲି ଘୋରି

ବାରାନିଧି ଭିତରକୁ ଦିଲି ଫିଙ୍ଗିକରି।୯୪।

ଯୁଝେଷ୍ଠି ପଚାରିଲେ ଶୁଣରେ ସହଦେବ

ଅଷ୍ଟବକ୍ର ଋଷିଶାପ କେମନ୍ତେ ହୋଇବ।୯୫।

ମନ୍ତ୍ରୀବୋଇଲେ ଦେବ ଅବଶ୍ୟ ଫଳିବ

ପୂର୍ବର କଲା କର୍ମ କେ ଅନ୍ୟଥା କରିବ।୯୬।

ଭୋ ଦେବ ୟେ ଲୁହା ଘୋରନ୍ତେଣ ଯେ ପଡ଼ିଲାକ ଫେଣ

ତହୁଂ ଉପୁଜିଲା ସନ୍ତରା ନାମେ ବଣ।୯୭।

ତହିଂ ଯାଦବେ ଯେ ହୋଇବେ ମରାମରି

ସମସ୍ତେ ଛିଡ଼ିବେ ଯେ ତିରଣ ପ୍ରମାଣେ କରି।୯୮।

ତାହାର ଦାଢରେ ସମସ୍ତ ନାଶ ଯିବେ

ବାଳୁତେ ଆଦିକରି ସମସ୍ତେ ମରିବେ କୃଷ୍ଣ ୟେକା ଥିବେ।୯୯।

ଶୁଣିଣ ଯୁଝେଷ୍ଠିଂକ ଯେ ସନ୍ତାପିତ ମନ ହୋୟେ

କିମ୍ପାଇ ୟେତେ ଶାପ ହରି ପୁଣ ପାୟେ।୧୦୦।

ଶ୍ରୀକୃଷ୍ଣର ଅଭାବେଣ ଆମ୍ଭର କିସରାଜ୍ୟ

କିସ ଆମ୍ଭର ସୁଖଭୋଗ କିସ ଅଇଶୁର୍ଯ୍ୟ।୧୦୧।

ସହଦେବ ବୋଇଲା ଯେ ଛିଦ୍ର ଖଣ୍ଡିୟେକ ଭୀମ ପକାଇଲା ଫିଙ୍ଗି

ମହାବଳୀ ଜଳଙ୍ଗ ତା ଗିଳିଲାକ ବେଗି।୧୦୨।

ବେଣ୍ଟପୁର ରାଜା କୁଞ୍ଜରା ନାମେ କଇବ୍ରତ

ତାହାର ସୂତାରେ ମୀନ ଲାଗିଲା ତୁରିତ।୧୦୩।

ଦୃଢକରି ଧରି ଆଣିଲା ଯେ କଇବ୍ରତ ମୀନକୁ

କୁରାଳୀ ନାମେ ଭାରିଯା ଯେ ରାଇଲା ତାହାକୁ।୧୦୪।

ଆମ୍ଭର ମିତ୍ର ଗୋ ଅଟନ୍ତି ଜାରା ନାମେ ଶବର

ୟେ ମୀନ ଗୋଟି ନେଇ ଦିଅ ତାହାଂକର ଘର।୧୦୫।

ମତ୍ସ୍ୟଂକର ମଧ୍ୟେ ୟେ ଯେ ବଡ଼ାଇ ଅପୂର୍ବ

ଦେଖିଣ ମଇତ୍ର ବଡ଼ ହରଷ ହୋଇବ।୧୦୬।

ଅପୂର୍ବ ପଦାର୍ଥ ପାଇଲେ ଯେ ମଇତ୍ରଂକୁ ଦିଅଇ

ବଜାରୁ କେଉଟୁଣୀ ତା ଶବରପଲ୍ଲୀକି ନିଅଇ।୧୦୭।

ଯେ ଯାହାର ସନମାନ ଉଚିତ ଯେ କରି

ମୀନ ଗୋଟି ଥୋଇଲା ଯେ ଦୁଆରେ ତାହାରି।୧୦୮।

ମୀନ ଦେଖି ସାନନ୍ଦ ହୋଇଲା କିରାତ

ମୃଗ ଗୋଟିୟେକ ଧରି ଦିଲାକ ତୁରିତ।୧୦୯।

ଆସି କଇବ୍ରତୀ ନିଜ ମନ୍ଦିରେଣ ମିଳିଲା

ସେ ଯେଉଂ ମୃଗ ଗୋଟିକି ଦିଲା ନେଇ ପତିକି ସମର୍ପିଲା।୧୧୦।

ୟେଥୁ ଅନନ୍ତରେ ସେ ଶବର ମତ୍ସ୍ୟକୁ ଦେଖିଲା

ଶବରୁଣୀକଇଂ ହକାରି ସେ ବଚନ ବୋଇଲା।୧୧୧।

ୟେ ମତ୍ସ୍ୟ ବେଗକରି କେଳାଅ ତୁ ନେଇ

ଆମ୍ଭର ମଇତ୍ର ଯେ ଦିଲେକ ପଠିଆଇ।୧୧୨।

ୟେତେକ ବଚନ ଯହୁଂ ଶବରୁଣୀ ଶୁଣିଲା

ପନିକି ଘେନି କରି ସେ ମୀନକୁ ଚିରିଲା।୧୧୩।

ବେନି ଖଣ୍ଡ କରି ଯେ ଛିନାବନ୍ତେ ତାହା

ଗର୍ଭର ଭିତରେ ପାଇଲାକ ଛିଦ୍ର ଲୁହା।୧୧୪।

ଦେଖି ଆଶ୍ରିଜ୍ୟ ଯେ ହୋଇଲା ଶବରୁଣୀ

ଲୁହା କରେ ଧରି ତାର ମନେ ମନେ ଗୁଣି।୧୧୫।

ଶବରୁଣୀ ବୋଇଲା ସେ ଶବରକଇଂ ରାଇ

ୟେ ଲୁହା ଖଣ୍ଡି ମୀନଗର୍ଭରେ ଥିଲା ରହି।୧୧୬।

ଲୁହା ଦେଖିଣ ଶବର ଯେ ହରଷ ହୋଇଲା

ହାଥରେଣ ଘେନି ଲୁହା ମନରେ ବିଚାରିଲା।୧୧୭।

ବଡ ତେଜବନ୍ତ ରୁକ୍ଷ ଅଟଇ ହାଦେ ଲୁହା

ଚିଆର ପଟେକ ମୁଂ ଗଢାଇବି ୟେହା।୧୧୮।

ଯେଉଂ ଭବିଷ୍ୟ ଅଛି ପୂର୍ବର ଯେ ବାଣୀ

କେହୁ ଅନ୍ୟଥା ଯେ କରିବ ତାହା ହାଦେ ପୁଣି।୧୧୯।

ସେ ଲୁହା ଖଣ୍ଡିକ ଘେନି କମାର ଶାଳକୁ ୟେ ଗଲା

ଧନ ଦେଇ ତାହା ନାରାଜେକ ଗଢ଼ାଇଲା।୧୨୦।

ବେନି କାତି କତି ତାର ନବ ନିଶି ହୋୟେ

ବାଣ ଦେଖି ଶବରର ଉଲୁସଇ କାୟେ।୧୨୧।

ନିଜ ମନ୍ଦିରେ ଯାଇଂ ମିଳିଲାକ ଶବରଇ

ସର୍ବଦା ସେ ନାରାଜେ ମୃଗୟା ବିନୋଦ କରଇ।୧୨୨।

କୋଦଣ୍ଡ ଦୁର୍ଦ୍ଦଣ୍ଡ କାଣ୍ଡକରେ ଥାଇ ମୋହି

ସେ କାଣ୍ଡ ଗୋଟି ଶବର ସ୍ୱକରେ ଘେନିଥାଇ।୧୨୩।

ଅଷ୍ଟବକ୍ର ଋଷି ଦିଲେ ଯେବଣ ଶାପ

କେ ତାହା ଅନ୍ୟସ୍ଥା ଯେ କରିବାକ ଲୋପ୍ୟ।୧୨୪।

ଯଦ୍ୟ ପିହରି ତ୍ରିଭୁବନ ଆଧିପତି

ଅଷ୍ଟବକ୍ରଂକର ଶାପ ନୋହିଲାକ ନିବର୍ତ୍ତି।୧୨୫।

ସହଦେବ ବୋଇଲା ଦେବ ସେ ଚିଆର ଘେନିଣ କିରାତ

ତାହା ଘେନି ବିନ୍ଧିବ ସେ ଦେବ ଜଗନ୍ନାଥ।୧୨୬।

ଅଷ୍ଟବକ୍ର ଶାପ ନଯିବ ଦେବ ଗଡ଼ି

ତେଣେ ସେ ପ୍ରାଣତ୍ୟାଜ ହୋଇବେ ଦେବ ହରି।୧୨୭।

ଯୁଝେଷ୍ଠି ଦେବେ ବୋଇଲେ ସେ କିରାତ ଛାର ମାତ୍ର

ଶ୍ରୀକୃଷ୍ଣ ନାଶ ଯିବେ କି ତାହାର ଶରଘାତ।୧୨୮।

ସ୍ୱାମୀଂକର ଅଗ୍ରତେ ଯେ କହଇ ସହଦେବ

ସେ ଜାରାଶବର ଅଙ୍ଗଦ ଅଟଇ ହାଦେ ପୂର୍ବ।୧୨୯।

ଶ୍ରୀରାମ ଶ୍ରୀମୁଖ ଘେନି ସେ ଲଂକାଗଡ଼କଇଂ ଗଲା

ରାବଣ ଶିରୀ ମୁକୁଟ ସେ ହୁଂଛୁଡ଼ି ଆଣିଲା।୧୩୦।

ସୁବର୍ଣ୍ଣର ଚାଳ ଜଗତୀ ମେଢ ମଣ୍ଡୋପ ସହିତେ

ଆଣିଣ ସମର୍ପିଲା ସେ ଶ୍ରୀରାମ ଅଗ୍ରତେ।୧୩୧।

ଭୋଳେଣ ବୋଇଲେ ଦେବ ରଘୁକୁଳ ପତି

ବର ମାଗ ଅଙ୍ଗଦ ରେ ତ୍ରିବାର ମୋର ସତି।୧୩୨।

ଅଙ୍ଗଦ ବୋଇଲା ତୁ ମୋ ପିତାର ବଇରି ଅଟୁ ଦେବରାଜ

ମୋହୋର ଯେ ହାଥେ ପ୍ରଭୁ ହୋଇବୁ ପ୍ରାଣତ୍ୟାଜ।୧୩୩।

ଦାଶରଥି ବୋଇଲେ ହୋଇଲା ୟେ ମୋହୋର ସତ୍ୟ ସତ୍ୟ

ଦ୍ୱାପରେ କହ୍ନା ଅବତାରେ ମୋତେ କରିବୁ ଶରଘାତ।୧୩୪।

ଯୁଝେଷ୍ଠିଂକ ଅଗ୍ରତେ କହଇଂ ସହଦେବ

ସ୍ୱାମୀ ୟେବେ ଆସି ଘଟିଲା ୟେସନେକ ପୂର୍ବର ପ୍ରସ୍ତାବ।୧୩୫।

ଶୁଣିଣ ଯୁଝେଷ୍ଠି ଦେବ ବିସରନ୍ତି ମନେ

ଆମ୍ଭନ୍ତ ଛାଡ଼ି ଶ୍ରୀକୃଷ୍ଣ ଯିବେଟି କେସନେ।୧୩୬।

ସହଦେବ ବୋଇଲେ ଆଗେ ଯିବେଟି ଶ୍ରୀବତ୍ସ

ଆମ୍ଭେମାନେ ଯିବାଟି ସ୍ୱାମୀ ତାହାଂକ ପଛପଛ।୧୩୭।

ଜୟ ତୁ ଶ୍ରୀହରିଦେବ ଜୟ ତୁ ଶ୍ରୀବତ୍ସ

କଉତୁକେ ଜାତ ଅନ୍ତ କରୁ ତୁ ପ୍ରତ୍ୟକ୍ଷ।୧୩୮।

ଆପଣେ ମରିଣ ଦେଖାଇବାର ବାଟ

ତେଣୁକରି ସୟଳକୁ ଦେଖାଉ ଯମ ଥାଟ।୧୩୯।

ଯେଉଂ ଦେବ ମାୟାଧର ମାୟାମୋହ ଫାଶି

ୟେ ମାୟାବନ୍ଧନକୁ ମୋତେ କରିବା ଉଦାସୀ।୧୪୦।

ଜନ୍ମେ ଜନ୍ମେ ସୁଗ୍ୟଂ ଜନେ ଭାବ ଯେ ଶ୍ରୀବତ୍ସି

ତବ ଲୟେ ଭାବ ମୋତେ ମୁକତି ଗତି ଇଚ୍ଛି।୧୪୧।

ଶ୍ରୀକୃଷ୍ଣ ପଦ୍ମପାଦେ ମୋହୋର ବିନୟେ ଦଇନି

ମୁକତି ଗତି ଇଚ୍ଛଇ ସାରୋଳଦାସ ମୁନି।୧୪୨।

 

ଧୃତିରାଷ୍ଟ୍ରଙ୍କର ବନ ଗମନୋଦ୍‌ଯୋଗ

ୟେଥୁ ଅନନ୍ତରେ ଯେ ବଇବସୁତ ମନୁ

ବଡ଼ାଇ ସାନନ୍ଦ ହୋଇଲି ତୁମ୍ଭର ବଚନୁ।୧।

ପାଣ୍ଡବଂକର ଅନ୍ନ ଯେ ଧୃତିରାଷ୍ଟ ଭୁଞ୍ଜି

ନିର୍ଲଜ ଆତ୍ମା କିମ୍ପେ ରଖିଲା ମନ ରଞ୍ଜି।୨।

ଯୁଝେଷ୍ଠିଂକର ସମ୍ପ୍ରଧି ଦେଖିଣ ଦୁର୍ବୁଦ୍ଧି

ଧୃତାରାଷ୍ଟଂକ ମନକି ନୋହିଲା ବିରୋଧି।୩।

ପୁତ୍ରନ୍ତ ଭୀମସେନ ମାଇଲା ଯହୁଂ ଯୁଦ୍ଧେ

ରହିବା ନ ମିଳଇ ଧୃତିରାଷ୍ଟ ପୁତ୍ର ଶୋକେ ତାହାଂକ ସନ୍ନିଧ୍ୟେ।୪।

ଅପାର ଦୁଖ ଯେ ଆପଣେ ସୁମରଇ

କେସନେକେ ପାଶୋରେ ତାହାର କାୟେ ଯେ ଅଛଇ।୫।

ପୁତ୍ରଂକର ଶତ୍ରୁ ଯେ ଦେଖଇ ଅନୁଦିନେ

କେହୁଣସି ଦିନ ସେ ସୁଖ ନୋହିଲା ତାର ମନେ।୬।

ରାଜା ବୋଇଲା ମୁନି ହେ ଶୁଣିମା ତଦନ୍ତ

ବ୍ୟାସେ କହିଲେ ଧୃତିରାଷ୍ଟଂକୁ ପରମାର୍ଥ।୭।

ପିତାଉଂ ଦଶ ଗୁଣେ ଅଧିକ ଅଟଇ ମାତା

ମାତାଉଂ ଦଶ ଗୁଣେ ଯେ ଅଟଇ ବନିତା।୮।

ବାବୁ ଶତେ ପୁତ୍ର ତୋହୋର ବଧ କଲେ ଯେ ପାଣ୍ଡବେ

ଆପଣେ ବାନପ୍ରସ୍ଥ କରିଯା ୟେଥେ ନ ରହ ରାଜଦେବେ।୯।

ଶତେ ପୁତ୍ର ହରାଇ ଜୀବନେ କିସ କାର୍ଯ୍ୟ

ମହାଦୁଖ ପାଇବୁଟି କହିଲୁ ନିଚେ ଆଜ।୧୦।

ତାହାଂକର ବଚନେ ସେ ନଗଲା ପରବୋଧ

ୟେତେ ହୀନିମାନେ ଜୀବନକୁ କିମ୍ପେ କଲା ସଧ।୧୧।

ପାଣ୍ଡବଂକ ଅନ୍ନ ତାକୁ ରୁଚଇ କେମନ୍ତେ

ତାହା ଶୁଣିଣ ରୋମାଞ୍ଚଇ ମୋହୋର ଯେ ଗାତ୍ରେ।୧୨।

ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତି

ଶୁଣିମା ଅନରୂପ ତୁ ଅଟୁ ମହାଯତି।୧୩।

ଅନେକ ବିନୟେ ସେ ଧୃତିରାଷ୍ଟେ ହୁଅନ୍ତି ଯୁଝେଷ୍ଠି

ପଣ୍ଡୁହୁଂ ଅଧିକ ସେବଇ ଧୃତିରାଷ୍ଟି।୧୪।

ୟେ ବିଧିରେ ଗଲା ୟେ ପଞ୍ଚଦଶ ବରଷ

ଆକାଶୁଂ ଗମନ ଯେ କରିଲେ ବେଦବ୍ୟାସ।୧୫।

ଧୃତିରାଷ୍ଟେ କହିଲେ ତୁମ୍ଭେ ନରହ ଅମ୍ୱିକାର ସୁତ

ପୁତ୍ର ବଇରି ଦେଖୁ ତୁ ୟେ କେବଣ ଚରିତ।୧୬।

ପ୍ରୟାଗେ ଝାସ ଯାଅ କୁରୁ ନୃପନାଥ

ଆବର କିମ୍ପାଇ ତୁ ଅଛୁ ପୁଣ ୟେଥ।୧୭।

ସକଳ ହରାଇଲୁ ଆବର ତୋହୋର କିସ ଯେ ଅଛଇ

ୟେଥି ଥିଲେ ତୋତେ ଅପାର ଦୁଖଇ।୧୮।

ପୁତ୍ର ପଉତ୍ର ଧରିତ ନାହିଂ ନାମ ଗ୍ରାମ

ଚତୁର୍ଥ ବୟସେ ତୁମ୍ଭର ଆମ୍ଭର କିସ କାମ।୧୯।

ୟେତେ ବୋଲିଣ ତହୁଂ ଗଲେକ ମହାମୁନି

ସେ କଥା ଧୃତିରାଷ୍ଟ ମନେ ମନେ ଗୁଣି।୨୦।

ଧୃତିରାଷ୍ଟଂକୁ ନିତ୍ୟେହେଂ ଶଂଖୁଳନ୍ତି ଯୁଝେଷ୍ଠି

ନିଜ ରାଜ୍ୟ ଭୋଗ ସମର୍ପିଲେ ଧୃତିରାଷ୍ଟି।୨୧।

ଦେବାର୍ଚ୍ଚନେ ଧୃତିରାଷ୍ଟ ଗାନ୍ଧାରୀ ମାତ କୋନ୍ତୀ

ବଚନେ ଭୋଜନେ ସେ କରାନ୍ତି ତ୍ରିପୁତି।୨୨।

ଧୃତିରାଷ୍ଟଂକ ତୁଲେ ଯେ ଗାନ୍ଧାରୀ ମହାସତୀ

ଦ୍ରିଯୋଧନହୁଂ ଅଧିକ ରଞ୍ଜିଲାକ ମତି।୨୩।

ପୁତ୍ରନ୍ତ ପାଶୋରିଲା ଯୁଝେଷ୍ଠି ଭଗତେ

ୟେକା ଯୁଝେଷ୍ଠି ହୋଇଲେ ତାହାଂକୁ ଶତେ ପୁତ୍ରେ।୨୪।

ୟେସନେକ ଜାଣି ଭୀମସେନ ଯେ କୋପଇ

ପୁଣିହିଂ ଅନ୍ଧକଇଂ ଯୁଝେଷ୍ଠି ରାଜ୍ୟ ସମର୍ପଇ।୨୫।

ବନ୍ଧୁ ସହୋଦ୍ର ମରାଇ ଆମ୍ଭେ ପାଇଲୁ ଯେ କାର୍ଯ୍ୟ

ଯୁଝେଷ୍ଠି ଦୟାୟେଣ ନିକି ସମର୍ପଇ ପୁଣ ରାଜ୍ୟ।୨୬।

କେତେ କେତେ ଦୁଖ ଆମ୍ଭେ ପାଇଲୁ ଭ୍ରମି ବନେ

ତେବେହେଂ ଧୃତିରାଷ୍ଟର ଦୟା ନବସିଲା ମନେ।୨୭।

ରାଜାର ଆଗ୍ୟାଂ ଭ୍ରଷ୍ଟ କରିତ ନୁଆରି

ଆପଣାର ଶିରୀ ଦେଇ ପୋଷଇ ବଇରି।୨୮।

ୟେକା ଧୃତିରାଷ୍ଟକୁ କେମନ୍ତେ ଦେଖିବି

ଯେମନ୍ତେ ରାଜ୍ୟ ଛାଡ଼ିବ ତେମନ୍ତ ଉପାୟେ କରିବି।୨୯।

ୟେମନ୍ତେ ବିଚାରନ୍ତେ ଗଲାକ କେତେଦିନ

ୟେକ ଦିନେ ଆସ୍ତାନେ ବିଜୟେ ଧୃତିରାଷ୍ଟ ରାଜନ।୩୦।

ସଞ୍ଜୟେ ବିଦୁରେ ଯେ ପାରୁଶେ ଅଛନ୍ତି

ୟେସନେକ ସମୟେ ଯାଇ ବିଜୟେ ମାରୁତି।୩୧।

ବାହା ମରଦିଣ ବୀର ପ୍ରତଗ୍ୟାଂ କରଇ

ୟେହି ଭୁଜେ ମାଇଲି ମୁଂ କୀଞ୍ଚେକ ଶତେ ଭାଇ।୩୨।

ଧୁଶାସନ ଭୁଜ ଉପାଡ଼ିଲି ୟେହି ବାହେ

ଦ୍ରିଯୋଧନ ମୁକୁଟ ମର୍ଦ୍ଦିଲି ୟେହି ପାୟେ।୩୩।

ୟେହି ଭୁଜେ ଦ୍ରିଯୋଧନ ଜାନୁ ଭଗ୍ନ କଲି

କଳିଙ୍ଗସେନର ଶତେଭାଇ ୟେହି ଭୁଜେ ମାଇଲି।୩୪।

ପୁଣ ପୁଣ ପ୍ରତଗ୍ୟାଂ ଯେ କରଇ ମହାରୋଷ

ଶୁଣିଣ ଧୃତିରାଷ୍ଟ ପାଇଲା ମନେ ପ୍ରାସ।୩୫।

ଭୀମ ଝିଂଘାସ ବଚନ ଅଗ୍ନି ହୃଦୟେ ପଶନ୍ତେ

ଶରୀର ଧରି ତ ନୁଆରଇ ଧୃତିରାଷ୍ଟ ଆତ୍ମାର ଦହନ୍ତେ।୩୬।

ଦେହ ଧରି ନୁଆରି ଆସ୍ତାନୁ ଗଲା ଉଠି

ଗାନ୍ଧାରୀର ସଙ୍ଗତେ ୟେକାନ୍ତେଣ ଗୋଷ୍ଠୀ।୩୭।

ଦଦୟନ୍ତି ଧୃତିରାଷ୍ଟ ଶୁଣ ଗୋ ଗାନ୍ଧାରୀ

ଯେତେକ ପ୍ରତଗ୍ୟାଂ ଭୀମସେନ ସଭାରେ ଆଦ କରି।୩୮।

ସଭାରେ ଭୀମସେନ ଆଜ ବୋଇଲା ଉତକଟ

ୟେହି ଭୁଜେଣ ମାଇଲି ଗାନ୍ଧାରୀ ଶତେ ଚାଟ।୩୯।

ଭୀମସେନ କୂଟବଚନ ହୃଦେ ମୋର ଭେଦି

ହେ ପ୍ରିୟେ ୟେବେ କିସ କରିବାକ କହ ମୋତେ ବୁଦ୍ଧି।୪୦।

ପ୍ରାଣ ଛାଡ଼ିବାକୁ ମୁଂ ଖାଇତେ ଲୋଡ଼ଇ ବିଷ

ଆଦିହୁଂ ୟେକଥା କହିଲେ ମୁନି ବ୍ୟାସ।୪୧।

ପୁତ୍ରନ୍ତ ମାଇଲା ଯେ ଘେନିଲାକ ମହୀ

ନିଲ୍ଲଜ ଆତ୍ମା ଘେନି ତାହାଂକ ମୁଖ ଚାହିଂ।୪୨।

ଶତ୍ରୁକୁ ନୁଆରି କରି ରହିଲୁ ଯେ ଦମ୍ଭେ

ପଶୁ ବଧ ନ ଜାଣି ପଡ଼ିଲୁ ଆଧାର ଲୋଭେ।୪୩।

ୟେବେ ଚାଲ ୟିବା ନାଥ ବାନ ପ୍ରଶସ୍ତେ

ନାନା ତୀର୍ଥ କରିବା ଆତ୍ମା ଥାଇ ଯେତେକାଳ ପରିଯନ୍ତେ।୪୪।

ଶତ୍ରୁ ଅନ୍ନ ଖାଇ ଯାହା ଧରିଥାଇ ପ୍ରାଣ

ୟେହାଠାରୁ ବଳି ଆଉ ଅଛି କି କଷଣ।୪୫।

ୟେବେ ଚାଲ ଦୁହେଂଯାକ ବନସ୍ତକୁ ଯିବା

ତୀର୍ଥ ଦେଖିକରି ନିଜ ଶରୀର ଦାହିବା।୪୬।

ବୋଲଇ ଧୃତିରାଷ୍ଟ ଯୁଝେଷ୍ଠିଂକି ମୁହିଂ ବଶ

କି ବୋଲି ବୋଲିବି ମୁଂ ଯିବଇଂ ବନବାସ।୪୭।

ବିନୟ ଭାବେ ଚିତ୍ତ ରଞ୍ଜିଲାକ ମୋତେ

କହିତ ନୁଆରଇ ସେ ଯିବଇଂ କେମନ୍ତେ।୪୮।

ତେଣୁ ଯୁଝେଷ୍ଠିଂକି ମୋହୋର ବହୁତ ଚିନ୍ତା

ଶତେ ପୁତ୍ରହୁଂ ମୋତେ ସେ ବଡାଇ ଭଗତା।୪୯।

ବୋଲଇ ଗାନ୍ଧାରୀ ଯୁଝେଷ୍ଠିଂକି ଉପ୍ରୋଧ ଯେବେ ୟେତେ

ଆନ ଉପାୟେକ କରହୋ କୁରୁନାଥେ।୫୦।

ପୁତ୍ରବନ୍ଧୁମାନେ ମୋର ମଲେ ଯେ ସମସ୍ତେ

ଗୟାରେ ଶ୍ରାଦ୍ଧକଲେ ସେ ହୋଇବେ ମୁକତେ।୫୧।

ଶ୍ରାଦ୍ଧ କରିବା ଧନ ମାଗ ହୋ କୁନ୍ତୀସୁତ

ୟେହିପ୍ରକାରେ ଆମ୍ଭେ ଯିବାକ ସନମତ।୫୨।

ଭାରିଜା ବଚନ ଶୁଣିଣ ମହୀପତି

ବିଦୁର ମହାତମାକୁ ସେ ହକାରିଲେ କତି।୫୩।

ଯାଅସି ମହାତମା ହୋ ଯୁଝେଷ୍ଠିଂକି ବୋଲ

ବନ୍ଧୁ ମଇତ୍ର ରଣେ ପଡ଼ିଲେ ସକଳ।୫୪।

ବାହ୍ଲିକ ଭୂରିସର୍ବା ଯେ ଅଟନ୍ତି ଆମ୍ଭ ଅଜା

ଭୀଷ୍ମେ ଜ୍ୟେଷ୍ଠ ପିତା ଶାୟନ୍ତନୁର ଆତ୍ମଜା।୫୫।

ହିଡିମ୍ୱୀ ତନୟ ଅଭିମନ୍ୟୁ ଦ୍ରୋପତୀର ପଞ୍ଚ ପୋୟେ

ବିଶେଷେ ମୋହୋର ପୁତ୍ର ଦ୍ରିଯୋଧନ ଭାଇ ଶୟେ।୫୬।

ୟେହାକଇଂ ଶ୍ରାଦ୍ଧ ଦେବାକୁ ମୋହୋର ଇଚ୍ଛା

ଧନେଣ କାର୍ଯ୍ୟ ୟେ ହୋଇବାକ ମନ ବାଞ୍ଛା।୫୭।

କୋଇନ୍ତା ଦେବୀଂକର ପଞ୍ଚପୁତ୍ରନ୍ତ ବସାଇ

ଶ୍ରାଦ୍ଧକଇଂ ବିଦୁର ଧନ କିଛୁ ମାଗ ହୋ ଯାଇଂ।୫୮।

ଶ୍ରାଦ୍ଧର ଉତ୍ତାରେ ଯିବଇଂ ପ୍ରୟାଗ ତୀର୍ଥେ

ୟେହା ଯାଇଂ କହିବ ଯୁଝେଷ୍ଠିଂକର ଅଗ୍ରତେ।୫୯।

ୟେ କଥା ମିଳଇ ବୋଲି ବିଦୁର କହଇ ବ୍ୟବସ୍ଥା

ୟେଥେଂ ରହିବା ଆମ୍ଭର ନୁହଂଇ ସର୍ବଥା।୬୦।

ମୋହୋର ବଚନ କଲ କୃତଯୋଗ

କୃଷି ଉପୁଜାଇ କରି ନୁଆରଇ ଫଳଭୋଗ।୬୧।

ଭୋ ରାଜନ ଧୃତିରାଷ୍ଟଂକ ବଚନେ ସୁମତି

ଯାଇଣ ଭେଟିଲା ସେ ଯୁଝେଷ୍ଠିଂକ କତି।୬୨।

ପାଣ୍ଡବେ ବିଦୁରଂକୁ ପ୍ରଣମିତ କୟେ

କୋଳେ ଧରି ବିଦୁର ଯୁଝେଷ୍ଠିଂକ ମୁଖେ ଚୁମ୍ୱ ଦିୟେ।୬୩।

ବିଦୁର ବୋଇଲେ ତୁମ୍ଭେ ଶୁଣ ପଞ୍ଚଭ୍ରାଥ

ଧୃତିରାଷ୍ଟ ଆଗ୍ୟାଂ ତୁମ୍ଭେ ଶୁଣସି ଉଚିତ।୬୪।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶକୁନି ଶଲ୍ୟ ସମାପତ ହୋଇଲେ

ଭୂରିସର୍ବା ବାଲ୍‌ହୀକ ସୋମଦତ୍ତ ନାଶ ଗଲେ।୬୫।

ଗାନ୍ଧାରୀ ଶତେପୁତ୍ର ସହିତେ ତୁମ୍ଭର ପୁତ୍ରମାନେ

ୟେତେକ ପଡ଼ିଲେ ଯେ ରଣ ଯଗ୍ୟଂ ଥାନେ।୬୬।

ୟେହାଂକର ନିମନ୍ତେ କରି ଅମ୍ୱିକାର ସୁତ

ଶ୍ରାଦ୍ଧକର୍ମେଣ ସେ ଯିବେ ପଞ୍ଚୁ ତୀର୍ଥ।୬୭।

ସେ କାରଣେ ଧନ କିଛି ମାଗେ କୁରୁପତି

ନ ଦିଲେ ତୁମ୍ଭର କି ଅଛଇ ସଦଗତି।୬୮।

କାର୍ତ୍ତିକ ମାସ ଶୁକଳ ପକ୍ଷ ଗୁରୁବାର

କୃତ୍ତିକା ଅନ୍ତେ ରୋହେଣୀ ଭୋଗ ଦଣ୍ଡ ତେର।୬୯।

ବାଳବ ନାମେ କରଣ ଶିବ ନାମେ ଯୋଗ

ତିରିଶ ଦିନ ଯେ ତୁଳା ସଂକ୍ରାନ୍ତିକି ଭୋଗ।୭୦।

ବେଳ ଚାରିଦଣ୍ଡ ଯାୟେ ବୃହସ୍ପତି ବେଳା

ବାନପ୍ରସ୍ଥକୁ ଗମିଲା ଅମ୍ୱିକାର ବଳା।୭୧।

ତୁ ବାବୁ ଧନବନ୍ତ ଅଟୁ ଧର୍ମ ଶିଷି

ପିତୃ ଲୋକ କାରଣେ ତୁ ଧନ କିଛୁ ଦେସି।୭୨।

ଧୃତିରାଷ୍ଟ ରାଜା ମୋତେ ପେଷିଲେ ତୁମ୍ଭ ପାଶ

ବୋଇଲେ ଯୁଝେଷ୍ଠିଂକି କହି କିଛି ଧନ ମାଗି ଘେନିଆସ।୭୩।

ତେଣୁକରି ମୁହିଂ ଯେ ଅଇଲଇଂ ୟେଥେ

ତୁମ୍ଭର ବିଚାରକୁ ୟେହା ଯୋଗାଇ କେମନ୍ତେ।୭୪।

ଯୁଝେଷ୍ଠି ବୋଇଲେ ଯେବେ କରିବେ ନାନା ତୀର୍ଥ

ସେ ଆମ୍ଭର ପିତା ଆମ୍ଭେ ତାହାଂକର ପୁତ୍ର।୭୫।

ୟେହୁ ପଞ୍ଚ କଟକଇଂ ସେ ଅଟନ୍ତି କାରେଣୀ

ଯେତେ ଧନ ଭଣ୍ଡାରେ ଅଛଇ ସେ ତାହାଂକର ସର୍ବ ପୁଣି।୭୬।

ଶ୍ରାଦ୍ଧ ଯେବେ କରିବେ ମୃତୁଲୋକ ମାନଂକୁ

ନିଅନ୍ତୁ ଧନ ଭଣ୍ଡାର ବହି ସମର୍ପିଲି ତାଂକୁ।୭୭।

ଯୁଝେଷ୍ଠିଂକ ବଚନ ଶୁଣି ବୀର ଭୀମସେନ

କୋପଭର ହୋଇଣ ସେ ବୋଲଇ ବଚନ।୭୮।

ଭୀମସେନ ବୋଇଲା ୟେ କେବଣ ବେଭାର

ଶତ୍ରୁକୁ ଧନ ଦେବାର ନ ମିଳଇ ବିଚାର।୭୯।

ଜୀବନ୍ତେ ବନ୍ଧୁ ସୋଦର ବୋଲି ଯେ ନ ବୋଇଲେ ଆମ୍ଭଂକୁ

ମରି କିଂ କେ ସହୋଦ୍ର ହୋଇଲେ ତୁମ୍ଭଂକୁ।୮୦।

କେବଣ ହିଂ କୃତ ସେ ପଶାଖେଳେ

ରାଜ୍ୟଭାର ଧନ ଭଣ୍ଡାର ସେ ଘେନିଲେ ସଂପୋଡ଼େ।୮୧।

ପାଞ୍ଚଭାଇନ୍ତ ବସାଇଲେ ଭୃତ୍ୟପଣେ ସଭାତଳେ

କାହିଂ ତୁମ୍ଭ ତାହାର ପ୍ରୀତି ଥିଲାଟି ସେକାଳେ।୮୨।

ଯେମନ୍ତେ କଉରୋବେ ହୋଅନ୍ତି ଅମୋକ୍ଷ

ତେବେ ସିନା ପାଶୋର ଯିବନା ଆମ୍ଭର ଦୁଖ।୮୩।

ଯେମନ୍ତେ ଦ୍ରିଯୋଧନ ପଡ଼ଇ ନର୍କଗତି

ତାହା ଚିନ୍ତିବାର ସେ ମିଳଇ ମୋର ମତି।୮୪।

ମଲେଣ କେହି ଯେ କାହାର ନୁହନ୍ତି

କିଂପାଇଂ ଧନଭଣ୍ଡାର କରିବାକ କ୍ଷତି।୮୫।

ଭୀଷ୍ମ ଦ୍ରୋଣେ ଯେ ଆମ୍ଭର ଅଟନ୍ତି କୁଳ ଶ୍ରେଷ୍ଠ

କିମ୍ପାଇଂ ସାଂଗ୍ରାମେ ପଡ଼ି ହୋଇଲେ ପ୍ରାଣେହତ।୮୬।

ଆମ୍ଭନ୍ତ ମାରିବେ ବୋଲି କଲେକ ସମର

ମଲା ଉତ୍ତାରେ କିସ ଉପ୍ରୋଧ ଆମ୍ଭର।୮୭।

ଯୁଗତେ ଶ୍ରାଦ୍ଧ ଯେବେ ହୋଇବ ମୃତୁଲୋକଂକୁ

ଆମ୍ଭେ କିଂ କେ ଶ୍ରାଦ୍ଧ ନଦେବାଟି ତାହାଂକୁ।୮୮।

ଭୀଷ୍ମ ଦ୍ରୋ ଣଭୂରିସର୍ବା ଆବର ସୋମଦତ୍ତ

ବିରାଟ ଦ୍ରୋପଦ ଆମ୍ଭର ଯେତେ ପୁତ୍ର।୮୯।

କୋନ୍ତଭୋଜ ଶ୍ୱେତ ଉତ୍ତର ସହିତେ

ଆବର ଆମ୍ଭନ୍ତ ଯେତେକ ଆଶ୍ରିତେ।୯୦।

ୟେହାକଇଂ ଶ୍ରାଦ୍ଧ ନମିଳଇ ଆମ୍ଭର ପୁଣଦେବା

ଦ୍ରୋଣଂକର ଶ୍ରାଦ୍ଧ ଅଶସ୍ତମା ହାଥେ କରାଇବା।୯୧।

କର୍ଣ୍ଣକଇଂ ଶ୍ରାଦ୍ଧ ଦେଉ ତାହାର ଯେ ମାତା

ଧୃତିରାଷ୍ଟେ କରନ୍ତୁ ସେ ନିଜ ପୁତ୍ର ଚିନ୍ତା।୯୨।

ଆମ୍ଭର ଧନେଣ ସେ କିସ ଯେ ସ୍ୱଭାଗୀ

ଆମ୍ଭ ହେତୁ ଯୁଗତେ ତାହାକଇଂ ଶ୍ରାଦ୍ଧ ଲାଗି।୯୩।

ଯୁଝେଷ୍ଠି ବୋଇଲେ ଭୀମ ନ ବୋଲନି ମୁହେଂ ତ ୟେହା

ପଣ୍ଡୁର ଜ୍ୟେଷ୍ଠଭ୍ରାଥ ସେ ଅଟନ୍ତି କୁରୁନାହା।୯୪।

ତାହାଂକର ଥାଆନ୍ତେ ଯେ ଆମ୍ଭର କରିବା ନୁହଇ ଧର୍ମ

କୁଳର ଶ୍ରେଷ୍ଠ ସେ କରନ୍ତୁ ନିଜ କର୍ମ।୯୫।

ତୁ ଯାହା ବୋଇଲୁ ୟେଥେ ଧୃତିରାଷ୍ଟର ନାହିଂ ଦୋଷ

ଦଇବର କୃତ୍ୟେ ସେ ହୋଇଲା ଭବିଷ।୯୬।

ବାବୁ ଶତେକ ଯୋଜନେ ଯେ ଆମିଷ ଦେଖଇ ପକ୍ଷୀ

ଫାଶୀ ବନ୍ଧନ ଅଛି ଯେ ତାହାକଇଂ ନ ଦେଖି।୯୭।

ପ୍ରେତ କର୍ମଣ ନ କଲେ ପୁତ୍ରନ୍ତ ହୋଅଇ ଲଜ୍ଜା

ବାହୁଡ଼ି ଦ୍ରିଯୋଧନ କି ୟେଥେ ହୋଇବାକ ରାଜା।୯୮।

କାଠ ପାଷାଣ ଜାଣି ଭୀମ ତୋହୋର ଯେ କାୟା

ମନୁଷ୍ୟ ଶରୀର ବହୁ ତୁ ଉପେକ୍ଷୁ କିମ୍ପେ ଦୟା।୯୯।

ପିତୃ ଅଭଗତେ ବନ୍ଧୁଜନ ଯେ ନ ପୋଷଇ

ଧର୍ମ କୀର୍ତ୍ତି ତାହାର ସକଳ ନାଶଯାଇଂ।୧୦୦।

ସୋଦର ଜନନ୍ତ ଯେ ଭଲେଣ ପାଳଇ

ସେ ମହାତ୍ମା ହୋ ଅଟଇ ଗୁଣଗ୍ରାହୀ।୧୦୧।

ଦ୍ରୋଣକଂର କଳାର କେବଣ ଗୁଣ ନାହିଂ

ବିଦ୍ୟା ପାରେକ ଯେ ହୋଇଲୁ ତୁ କାହିଂ।୧୦୨।

ଯେବଣ ବ୍ରାହ୍ମଣ ଶହସ୍ରେ ତ୍ରଇଲୋକ୍ୟ ପାରଇ ଦହି

ପୁତ୍ରକଇଂ ପଛ କରି ଅର୍ଜୁନେ ଶିଖାଇ।୧୦୩।

ଆଚମ୍ୱିତ ବିଦ୍ୟା ଯେ ଅଦୃଷ୍ଟି ଅଶ୍ରୁତି

ଦୁଷ୍ଟିଭେଦୀ ଶୂନ୍ୟଭେଦୀ ଶବଦ ଭେଦଗତି।୧୦୪।

ପିତା ଅଭାବ ବୋଲି ନଜାଣିଲୁ ବାଳ କାଳେ

ପ୍ରାଣହୁଂ ଅଧିକ ବଢ଼ିଲୁ ଭୀଷ୍ମଂକର କୋଳେ।୧୦୫।

ଆମ୍ଭର ଅର୍ଥେ ଭୀଷ୍ମେ କଲେକ ଶରଶେଯ୍ୟା

ମୃତୁ ଭେଦ କହି ସେ କଲେକ ପ୍ରାଣତେଜ୍ୟା।୧୦୬।

ଚାଲୁଣୀର ପ୍ରାୟେ ତୁ ହୋଇଲୁରେ ଭୀମସେନ

ଗୁଣ ପକାଇଣ ସେ ଅବିଗୁଣ ଘେନ।୧୦୭।

ଅନେକ ବନ୍ଧୁଜନ ମଲେ ଆମ୍ଭର କାର୍ଯ୍ୟ ଅର୍ଥେ

ସବୁଂକୁହିଂ ଶ୍ରାଦ୍ଧର ଆମ୍ଭର ଲାଗଇ ଯୁଗତେ।୧୦୮।

ଅଳପ ଅଳପ କରି ଧନ ଆମ୍ଭେ ଦେବା

ଇହଲୋକ ଜିଣିମା ପରଲୋକନ୍ତ ତାରିବା।୧୦୯।

ଧୃତିରାଷ୍ଟ ଶତେପୁତ୍ର ସମରେ ତୁ ମାରି

ତେବେ ସେ ଶାନ୍ତି ଚିତ୍ତ ନୋହିଲା ତୋହୋରି।୧୧୦।

ଭୀମସେନ ବୋଇଲା ୟେମନ୍ତେ କିମ୍ପେ କହୁଂ

ମୋହୋର ସନମତ ନକଲେ ତାକୁ ଧନ ଦେବ କେହୁ।୧୧୧।

ଅର୍ଜୁନ ବୋଇଲା ଦେବ ଶୁଣିମା ଯୁଝେଷ୍ଠି

ନଦେଉ ଭୀମା ଧନ ନକରୁ ଅରିଷ୍ଟି।୧୧୨।

ଭଣ୍ଡାର ଧନ ଯେବେ ଦେବାର ହୋଇଲା ବାଦୀ

ଆମ୍ଭର ଯିସ ଅଙ୍ଗ ଧନ ଅଛି ଦେବାର ମିଳଇ ୟେ ବିଧି।୧୧୩।

ନିଅସି ବିଦୁର ପିତାର ୟେହେନେକ ଧନ ଇଚ୍ଛା

ଯେଣେ ପିତୃକାର୍ଯ୍ୟ ହେବ ମନୋବାଞ୍ଛା।୧୧୪।

ସୁବର୍ଣ୍ଣର ତଣ୍ଡୁଳ ଅଜା ମେଷ ମୃଗ

ବସ୍ର ଅଳଂକାର ହାଦେ ନାନା ରତ୍ନେ ଯୋଗ।୧୧୫।

ଧୃତିରାଷ୍ଟକଇଂ ବିଦୁର ଦିଅ ହାଦେ ୟେହା ନେଇ

ମୁହିଂ ଯାହା ବୋଇଲି କହିବ ସବୁ ଯାଇଂ।୧୧୬।

କାର୍ତ୍ତିକ ପୂର୍ଣ୍ଣିମୀ ଆଜକୁ ଆବର ଦିନା ଦଶ

ଦଶଗୁଣେ ଶ୍ରାଦ୍ଧକରି ପିତୃଲୋକେ ତୋଷ।୧୧୭।

ଯୁଝେଷ୍ଠି ଦେବେ ବୋଇଲେ ବିଦୁରର ଆଗେ

ଭୀମର ଦୁର୍ବୁଦ୍ଧି ନ କହିବଟି ପିତା ଆଗେ।୧୧୮।

ଶୁଣିଣ ବ୍ୟଥା ଯେ ପାଇବ ଧୃତିରାଷ୍ଟ

ଦୁଗୁଣ ପିତାର ମୋର ହୋଇବ ପୁତ୍ରକଷ୍ଟ।୧୧୯।

ଧନ ଘେନି ବିଦୁର ତକ୍ଷଣେ ଚଳିଗଲା

ଧୃତିରାଷ୍ଟ ଅଗ୍ରତେ ବେଗେଣ ମିଳିଲା।୧୨୦।

ତୁମ୍ଭର ଆଗ୍ୟାଂୟେ ଆଣିଲାଇଂ ଧନ

ଦେବାକଇଂ ସନମତି ନବୋଲଇ ଭୀମସେନ।୧୨୧।

ବହୁତ ଝିଂଘାସି ସେ କହିଲାକ ବଢି

ପୂର୍ବର ହିଂସା ଯେ ନଗଲା ତାହାର ଛାଡ଼ି ।୧୨୨।

ଯୁଝେଷ୍ଠି ଅର୍ଜୁନର ଯେତେକ ଅଙ୍ଗଧନ

ତାହା ଆଣି ଦିଲେ ତୁ ୟେବେ ବେଗେ ଘେନ।୧୨୩।

ପୁଣି ପୁଣି ଯୁଝେଷ୍ଠିୟେ ବୋଇଲେ ଗୋଡ଼ାଇ

ଭୀମର ଦୁର୍ବୁଦ୍ଧି ପଣ ତୁ ନକହିବୁ ପିତାକଇଂ।୧୨୪।

ଶୁଣିଲେ ବ୍ୟଥା ଯେ ପାଇବ ଜ୍ୟେଷ୍ଠପିତା

ମୁହିଂ ସର୍ବଦା ତାହାକଇଂ ବିନୟେ ଭଗତା।୧୨୫।

ୟେସନେକ ବୋଲି ବୋଇଲେ ଯୁଝେଷ୍ଠି ରାଜନ

ଭୀମସେନ ବୋଲକଇଂ ନ କର ଖେଦ ମନ।୧୨୬।

ପୃଥୀରେ ଯେତେକ କ୍ଷତ୍ରୀ ହୋଇଲାକ ଶ୍ରେଷ୍ଠ

ସକଳ କ୍ଷେତ୍ରୀଂକରେ ଭୀମସେନ ଜ୍ୟେଷ୍ଠ।୧୨୭।

କ୍ଷତ୍ରୀ ବୃତ୍ତି ଦୂଷଣ ଯେ ଅଛଇ ତାର ତହିଂ

ଭୀମସେନେ ସନ୍ଥପଣ ପାଇବୁ ତୁ କାହିଂ।୧୨୮।

ବିଦୁର ବୋଇଲେ ନଦୀ ବଢିଲେ ଥିର ହୋଇ ନ ରହଇ

ବ୍ରାହ୍ମଣର ଆତ୍ମା ଯେ କ୍ଷଣକେ କୋପହୋଇ।୧୨୯।

କ୍ଷେତ୍ରୀଂକର ତେଜ ଯେ ଶରୀରେ ପ୍ରାଣ ଥାନ୍ତେ

ଶରୀରୁ କୋପ ଯେ ନଯାଇଂ କଦାଶ୍ଚିତେ।୧୩୦।

ଅଗ୍ନି ଯେସନେକେ ଲିଭିଲେ ତା ତେଜ ସରଇ

ତେଜ ଥାଆନ୍ତେ ସେ ସକଳ ଦ୍ରବ୍ୟନ୍ତ ଦହଇ।୧୩୧।

କ୍ଷେତ୍ରୀ ବୃତ୍ତି ଯେବେ ବୋଲିବ ସଂସାରେ

ଭୀମସେନଉଂ ଆନ ନାହିଂନା ବିଚାରେ।୧୩୨।

ବିଦୁର ବୋଇଲେ ହୋ ଭୀମସେନର କିସ ଦୋଷ

ଆପଣାର ମନ୍ଦ ପଣ ତାହାକୁ ବୋଲିବାଟି କିସ।୧୩୩।

କେବଣ ଛଳ ତୁମେ ନକଲ ଭୀମାକୁ

ବିଷଲଡୁ ଖୁଣାଇ ବାନ୍ଧି ମେଲିଲ ଜଳକୁ।୧୩୪।

ନାଗୁଣୀ ଖାଉ ବୋଲି ଭାବିଲ ତୁମ୍ଭ ତୁମ୍ଭ ହୃଦେ

ଜଦୁର ଘରେ ନକଲ କେବଣ ପରମାଦେ।୧୩୫।

କପଟ ପାଶ କରି ହରିଲ ସମ୍ପ୍ରଧି

ପଞ୍ଚାଳୀ କେଶ ଧରି ବିବସନ କଲ ମନ୍ଦବୁଦ୍ଧି।୧୩୬।

କୂଟେଣ ବେଢି ଯେ ମାଇଲ କୁମାର ଅଭିମନ୍ୟୁ

କିଂପାଇ ପାସୋରିବେ ସେ ତୁମର ଗୁଣ ମନୁ।୧୩୭।

ବିଦୁରେ ବୋଲନ୍ତି ଯାହା ଅର୍ଜି ତାହା ସିନା ଭୁଞ୍ଜି

ମୁଖ ନଦିଶଇ ଦର୍ପଣ କିଂପେ ଭାଞ୍ଜି।୧୩୮।

ବିଦୁର ମୁଖରୁ ୟେସନେକ ବାକ୍ୟ ଶୁଣି

ଆପଣାର ଲଲାଟେ ତାଡ଼ଇ ବେନିପାଣି।୧୩୯।

ଶ୍ରାଦ୍ଧ ସଂକଳ୍ପ ଯେ କଲେ ୟେକାଦଶ ଦିନଇ

ପ୍ରୋହିତ ମୁଖେ ଯଥା ବାକ୍ୟ ବିଧି ଅଭ୍ୟାସଇ।୧୪୦।

ଯୁଝେଷ୍ଠି ସହ ଆସ୍ତାନେ ବିଜୟେ କୁରୁସାଇଂ

ମନ୍ତ୍ରୀ ଅମନାତ୍ୟ ସର୍ବ ବ୍ରାହ୍ମଣ ବସାଇ।୧୪୧।

ବୋଲନ୍ତି ଧୃତିରାଷ୍ଟ ତୁମ୍ଭେ ଶୁଣିମା ସମସ୍ତେ

ମନ ଉଦବେଗ ମୁଂ ଯିବଇଂ ବାନପ୍ରସ୍ଥେ।୧୪୨।

ଯେ ଯାହାର ସଦଭାବେ କର ସେବା

ସ୍ୱାମୀର ବଇଗୁଣ କେହି ମନେ ନଧରିବା।୧୪୩।

ଶୀତ ବାତ ଖରା ବୃଷ୍ଟି ଯେ ସହଇ

ତାହାକଇଂ ରାଜା ସଦୟ ଚିତ୍ତ ହୋଇ।୧୪୪।

ଭୋଗର ଭାଜନ ସେ ହୋଅନ୍ତିଟି ରାଜା

ମନ୍ତ୍ରୀ ସେ ସକଳ ପାଳଇ ଜନପ୍ରଜା।୧୪୫।

ରାଜକାର୍ଯ୍ୟ ଯହିଂ ହୋଇବାକ ନଷ୍ଟ

ତାହାକଇଂ ଜାଣିମା ସେ ମନ୍ତ୍ରୀ ବୁଦ୍ଧି ଭ୍ରଷ୍ଟ।୧୪୬।

ପ୍ରଶୁଧାର ପ୍ରାୟେକ ରାଜାର ଯେ ଆଗ୍ୟାଂ

ଯାହା ସେ ବୋଲିବେ ତାହା ନକରିବ ଅବଗ୍ୟାଂ।୧୪୭।

ସ୍ତିରୀଂକି ଭ୍ରଥା ଯେ ପୁତ୍ରନ୍ତ ମାତାପିତା

ଭୃତ୍ୟକଇଂ ସ୍ୱାମୀ ୟେ ତିନିହେଂ ସେ ଦେବତା।୧୪୮।

ଇନ୍ଦ୍ର ଯେଉଂପରି ପାଳେ କରିଣ ସୁବୃଷ୍ଟି

ରାଜା ସେହିପରି ଯେ ପାଳଇ ନିଜ ସୃଷ୍ଟି।୧୪୯।

ଅଗ୍ୟାନେ ନୃପତି ଯେବେ ଦଣ୍ଡହିଂ ବିହିବ

ମନେ ନରଖି ତାହା ଉପେକ୍ଷା କରିବ।୧୫୦।

ସତ୍ୟ ଆଚରଣ ଯେ ପରଜାନ୍ତ ପାଳିବ

ମୃଗୟା ବିନୋଦେ ରାଜା ନିତ୍ୟାପ୍ରତି ଯିବ।୧୫୧।

ଶତ୍ରୁ ଉପଗତେ କଟକାଇ କରିବ ନିଜବୃତ୍ତି

ଧାରାତୀର୍ଥୁଂ ଆନ ନାହିଂନା ସଦଗତି।୧୫୨।

ଧର୍ମ କାର୍ଯ୍ୟେ ନିତି ପ୍ରତି ରଖିଥିବ ମତି

ନିତି ଅଭ୍ୟାସ କରିବ ବ୍ରହ୍ମଜ୍ଞାନ ପୋଥି।୧୫୩।

ଯେସନେକ ଇନ୍ଦ୍ର ପାଳଇ ନବସୃଷ୍ଟି

ଜନ ଜନ୍ତୁକଇଂ କରଇ ସୁଖାର୍ଥୀ।୧୫୪।

ଯେବେ ସେ ରାଜ୍ୟର ରାଜା ପ୍ରଜା ପାଳିତେ ଇଚ୍ଛା

ୟେହାଜାଣି ଉଚିତ କରିବାନା ପଣ୍ଡିତ ଜନେ ପୁଚ୍ଛା।୧୫୫।

ତୁ ହୋ ଯୁଝେଷ୍ଠି ପାଳିବୁନା ରାଜଧର୍ମେ

ଯେଣେଟି ଭୃତ୍ୟେ ସେବନ୍ତି ସଦକର୍ମେ।୧୫୬।

ଧୃତିରାଷ୍ଟ ବୋଇଲେ ବାବୁ ସବୁତ କୁଶଳ

ଆଉମାନଂକୁ ୟେକତ କରି ପ୍ରଜା ପ୍ରତିପାଳ।୧୫୭।

ରାଜପଦକୁ ବାବୁ ମୂଳ ଅଟଇଟି ପ୍ରଜା

ତାହାନ୍ତ ପାଳିଲେ ଧନସମ୍ପଦ ଚିର ଆଷ୍ୟ ହୋଇ ରାଜା।୧୫୮।

ପ୍ରଜାର ମୁଖେ ଯେବେ ଶୁଭଇ ସାଧୁ ଧୁନି

ସେ ରାଜା ସ୍ୱର୍ଗେ ବସଇ ନିଜଦେହ ଘେନି।୧୫୯।

ପୁରୁରବା ଜାନୁଘଣ୍ଟ ପ୍ରଶୁରାମ ବଳୀ ବେଣୁ ମାନଧାତା

ପରଜାର ଯଶ ବୋଲନ୍ତେ କଳ୍ପେ ଜୀବନ୍ତା।୧୬୦।

ବାବୁ ପ୍ରଜାହିଂ ପାଳିଲେ ଭୋଗ୍ୟ କରଇ ରାଜ୍ୟ

ପ୍ରଜାଂକ କଲ୍ୟାଣ ରାଜାର ହୋଅଇ ଅଇଶୁର୍ଯ୍ୟ।୧୬୧।

ତଣ୍ଡୁଳ ଗୁଡାୟେ ଘେନି କର ଯା ପିତୃଶ୍ରାଦ୍ଧ ପିଣ୍ଡଦାନ

ଦେବତା ବ୍ରାହ୍ମଣ ଅତିଥି ଅଗ୍ନି ପରଜାରେ ଅନ୍ନ।୧୬୨।

କୃଷିକର୍ମଣ ଲାଗି ୟେ ପରଜାୟେ ବଡ ଦୁଖୀ

ରାଜାର ପାଳନ୍ତେ ସେ ପ୍ରଜା ହୋନ୍ତି ସୁଖୀ।୧୬୩।

ଧୃତିରାଷ୍ଟ ବୋଇଲେ ତୁ ସୁବୁଦ୍ଧି ପୁତ୍ର ଗୋଟି

ମୁହିଂ କିସ ତୋତେ ଅବା ତିଆରିବି ଯୁଝେଷ୍ଠି।୧୬୪।

ଶୁଣିଣ ହରଷ ଯେ ଧର୍ମ ନୃପମଣି

ଭୀମସେନ କୋପ କଲା ଧୃତିରାଷ୍ଟ ବଚନ ଶୁଣି।୧୬୫।

ଭୀମସେନ ବୋଇଲା ତାତ ତୁହି ସମସ୍ତ ବୁଦ୍ଧି ଜାଣୁ

ତୋହୋର ପୁତ୍ରଂକ ଆଗେ କିଂପେ ନ ବଖାଣୁ।୧୬୬।

ପରକଇଂ ବଦ୍ୟ ଆପଣେ ହୋଇ ରୋଗୀ

ଦାରାୟେ ପ୍ରମତ୍ତ ହୋଇ କିସ ବୋଲାଉଛୁ ଯୋଗୀ।୧୬୭।

ଯୁଝେଷ୍ଠି ଦେବେତ ସକଳ ରାଜା ବିଧିରେ ଗଣନା

କେଉଂଣ ଠାବରେ ତୁ ଦେଖିଲୁସି ଉଣା।୧୬୮।

ମନ୍ତ୍ରୀ ସହଦେବ ତ କହଇ ସମସ୍ତ

ଭୂତ ବର୍ତ୍ତମାନ ଭବିଷ ଗତ ଯେ ଆଗତ।୧୬୯।

ବୃହସ୍ପତି ସମାନେଣ ଯାହାର ମହିମାଂ

ଧରଣୀ ସମାନେ ଯାହାର ହାଦେ ଗୁଣ କ୍ଷମା।୧୭୦।

ଭୀମ ଅର୍ଜୁନ ସେ ଅଟନ୍ତି ଯାହାର ଭାଇ

ତେଣୁ ସମାନ କାହାକଇଂ କରିବାକ ମହୀ।୧୭୧।

ତୋହୋର ବନଗବନ ସେ ନିତିବଦ

ରାଜାଂକ ବିଧି କିସ ତିଆରିଣ ସିଧ।୧୭୨।

ୟେହାଶୁଣି ଧୃତିରାଷ୍ଟ ହୋଇଲାକ ତୂନୀ

ହୃଦୟ ବ୍ୟାକୁଳ ଯେ କି ଦହଇ ବହନି।୧୭୩।

ଶୁଣ ହୋ ରାଜନ ଧୃତିରାଷ୍ଟ କଇଲାଣ ଯୁଝେଷ୍ଠି

ଚିର ଆଷ୍ୟ ହୋଇଥାଅ ବୋଲି ସେ ଉଠି।୧୭୪।

କରେ ରୁଦ୍ରାକ୍ଷମାଳା କାଖେ ମୃଗଚର୍ମ ଛଉଂରୀ

କର୍ଣ୍ଣେ ତମ୍ୱା କୁଣ୍ଡଳ ଅଙ୍ଗ ଭସ୍ମ ଲେପନ କରି।୧୭୫।

ହାଥେ କମଣ୍ଡଳ କଷା ବସନ ପୀଢା ଯେ ଶୋହଇ

ତପୋଧନ ବେଶ ହୋଇଣ ଜଗୁଜନ ମୋହୋଇ।୧୭୬।

ଭୀମସେନ ବୋଲଇ ତାତ ବୃଦ୍ଧହଂସ ପ୍ରାୟେ

ବଂଶବର୍ଗ ଭକ୍ଷିଣ ତପୋଧନ ବେଶ ହୋୟେ।୧୭୭।

ଧୃତିରାଷ୍ଟ ଗାନ୍ଧାରୀ ତପୋଧନ ବେଶେ ଦେଖି

ଯୁଝେଷ୍ଠିଂକି କୋଇନ୍ତାୟେ ବଚନ ଉପେକ୍ଷି।୧୭୮।

ବାବୁ କୋଇନ୍ତା ଗାନ୍ଧାରୀ ମାଦ୍ରୀ ଆମ୍ଭେ ତିନି

ମାଦ୍ରୀ ସ୍ୱାମୀ କାର୍ଯ୍ୟକଲା ସେ ପୁଣ୍ୟ ମାନି।୧୭୯।

ଗାନ୍ଧାରୀ ୟେବେ ବାନପ୍ରସ୍ଥେ ଯାଉଅଛି ଭ୍ରଥା ସେବି

ମୁହିଂ ୟେଥି ଥାଇଂ ଆଉ କିସ ଯେ କରିବି।୧୮୦।

ବାଳ କାଳହୁଂ ଆମ୍ଭେ ଦୁହେଂ ଅଟୁ ପ୍ରାଣସଖୀ

ୟେ ଯେବେ ବନେ ଦୁଖୀ ମୁହିଂ କିସ ସୁଖୀ।୧୮୧।

ମୋତେ ନବାର ବାବୁ ମୁଂ ଯିବଇଂ ଅବଶ୍ୟ

ଗାନ୍ଧାରୀର ତୁଲେ ୟେ ମୋହୋର ବନବାସ।୧୮୨।

ତୁମ୍ଭେ ମୋର ବିଚକ୍ଷଣ ସୁନ୍ଦର ସମସ୍ତେ ସାମରଥ

ତୁମ୍ଭଂକୁ ତିଆରିବାକୁ ମୁଂ କିସ କ୍ଷମାପାତ୍ର।୧୮୩।

ତୋହୋର ଶରୀରେ ଯେତେ କାଳ ଜୀବ ଥାୟେ

ସହଦେବ ଗୋଟିକି ମୋର କରିଥିବୁ ସଦୟେ।୧୮୪।

ବ୍ୟାକୁଳ ପାଣ୍ଡବେ ଯେ କୋଇନ୍ତାଂକ ସଜ ଦେଖି

ପଞ୍ଚପାଣ୍ଡବଂକ ଅଶ୍ରୁ ଜଳ ବହଇୟେ ଆଖି।୧୮୫।

ଆମ୍ଭନ୍ତ ଘେନିଣ ଯେ ବନରେ ବୁଲିଲୁ

କନ୍ଦମୂଳ ଫଳଖାଇ ଦୁଖେ ଦିନ ନେଲୁ।୧୮୬।

ସେକାଳେ ଗାନ୍ଧାରୀ କଲେ ଅନେକ ସୁଖଭୋଗ

ତୁମ୍ଭର ଦୁଖ ଦେଖିତ ସେ ନକଲା ଶୋଗ।୧୮୭।

କୋଇନ୍ତାୟେ ବୋଇଲେ ବାବୁ ନିର୍ଦ୍ଦୟା ହୋଇଲେ

ଶତେପୁତ୍ର ଉପଜାଇ ଅପୁତ୍ରିକା ହୋଇଲେ।୧୮୮।

ବିନୟେ ଯୁଗତି ଯେ ବୋଲନ୍ତି କୁନ୍ତୀ ସୁତ

ଆମ୍ଭନ୍ତ ଛାଡ଼ି କେଣେ ଯିବସି ଗୋ ମାତ।୧୮୯।

ବିପତ୍ତି କାଳେ ମା ଗୋ ଆମ୍ଭନ୍ତ ଯେ ଦେଖୁ

ଭୋଗକାଳେ କିମ୍ପେ ମାତା ଗୋ ଆମ୍ଭନ୍ତ ଉପେଖୁ।୧୯୦।

ତୋହୋର ସେ ଗୁଣ ନ ସୁଝାଇଲୁ ଋଣ

ପୁତ୍ରରେ ଲେଖାଉ ଆମ୍ଭନ୍ତ କଲୁ ମନ୍ଦପଣ।୧୯୧।

ଭିକ୍ଷା ଅନ୍ନେଣ ଆମ୍ଭନ୍ତ ପୋଷିଲୁସି ମାତା ଯାହା

ସମ୍ପ୍ରଧି କାଳେ ଗୋ ତ୍ୟାଗ କଲୁ ତାହା।୧୯୨।

ବାଳକାଳେ ଆମ୍ଭର ତାତ ହୋଇଲେକ ଭ୍ରଷ୍ଟ

ତୋହୋର ପ୍ରସାଦେ ଗୋ ଆମ୍ଭେ ନପାଇଲୁ କିଛି କଷ୍ଟ।୧୯୩।

କେ ଆମ୍ଭନ୍ତ ନିରୋପି କରିବ ପୁତ୍ରଚିନ୍ତା

କାହାର ଆଗେ ଦୁଖ ଗୋ ପ୍ରକାଶିବୁ ମାତା।୧୯୪।

କାହୁଂ ତୋର ଆନ ମନ ନେଲୁ କାଢ଼ି

ଆତ୍ମା କେସନେକେ ଧରିବୁ ସହଦେବଂକୁ ଛାଡି।୧୯୫।

କୋଇନ୍ତାୟେ ବୋଇଲେ ଶୁଣ ହୋ ଯୁଝେଷ୍ଠି ମୁଂ ତୋତେ
କହଇ ୟେକାନ୍ତେ

ଅନ୍ଧଅନ୍ଧୁଣୀ ଦୁହେଂ ଚାଲିବେ କେମନ୍ତେ।୧୯୬।

କଷ୍ଟ ପାଇଂଣ ତୋତେ ଦେଉଥିବେ ଶାପ୍ୟ

କେତେ ବଞ୍ଚାଇବୁ ତୁ ଗୁରୁଜନଂକର କୋପ।୧୯୭।

ମୁଂ ୟେହାଂକର ତୁଲେଣ ବାବୁ ଥିଲେ

ପଥକଢାଇଣ ମୁଂ ନେଉଥିବି ଭଲେ।୧୯୮।

ଯେତେବେଳେ ୟେମାନେ ଲୋଡ଼ିବେ ଅନ୍ନପାଣି

ମୁହିଂ ଲୋଡ଼ିଆଣି କରି ଅନ୍ନ ଦେଉଥିବି ମନ ଜାଣି।୧୯୯।

କୋଇନ୍ତାୟେ ମଣାଇଲେ ଯହୁଂ ରାୟେ ଯୁଝେଷ୍ଠି

ଛାଡ଼ିଲେ ମନବ୍ୟାଥା ହୋଇଲେ ସର୍ବେତୁଷ୍ଟି।୨୦୦।

କଷା ବସନ ତମ୍ୱାର କୁଣ୍ଡଳ ଉତ୍ତୁରୀ

ମାଥେଣ ଜଟା ପରିହରଣ ମୃଗଚର୍ମର ଛଉଂରୀ।୨୦୧।

ଧୃତିରାଷ୍ଟ ଗାନ୍ଧାରୀ ତୁଲେ କୋଇନ୍ତା ବନମାଗୀ

କଲ୍ୟାଣ କରି ଚଳନ୍ତି କୁରୁରାଜ ସ୍ୱାମୀ।୨୦୨।

ଗାନ୍ଧାରୀ କୋଳ କରିଣ ଧଇଲେ କୋଇନ୍ତାଂକୁ

ସୁଖର କାଳେ କିମ୍ପେ ଛାଡିଯିବୁ ପୁଅଂକୁ।୨୦୩।

କୋଇନ୍ତାୟେ ବୋଇଲେ ମୁହିଂ ଅଟଇ ବଡ ଦୁଖୀ

ପୁଅଂକର କଷ୍ଟ ଗୋ ମୁଂ ନୁଆରଇ ଦେଖି।୨୦୪।

କୁମାରୀ କାଳେ ମୁଂ ଗୋ କର୍ଣ୍ଣକୁ ଜାତକଲି

ଲଜ୍ଜା ନିମନ୍ତେଣ ମୁଂ ଜଳରେ ମେଲିଦେଲି।୨୦୫।

ଧନ୍ୟ ହୋଇଲି ମା ଗୋ ରାଧାର ପ୍ରସାଦେ

ମୋହୋର ପୁତ୍ରକୁ ସେ ପାଳିଲା ଅନୁରାଗେ।୨୦୬।

ପ୍ରଶୁରାମ ସାରିକ୍ଷେ ସେ ନିର୍ଜିତ ଶହସ୍ରେ

ବିଜେକଲେ ଧନ୍ୟ ଧନ୍ୟ ରାଧେବ କରନ୍ତି ଜଗତେ।୨୦୭।

ଅର୍ଜୁନକଇଂ କର୍ଣ୍ଣ ସମାନେଣ ଲେଖି

ହୃଦପଦ୍ମ ମୋହୋର ବିକାଶଇ ଦେଖି ସଖି।୨୦୮।

ବଜ୍ରଛଉଂରୀ ଅଭେଦ କପଛ ଅମୃତ କୁଣ୍ଡଳ

ପ୍ରତକ୍ଷେ ମାଗିନେଲେ ଆସି ଦେବ ଆଖଣ୍ଡଳ।୨୦୯।

ଯେତେ ସତ୍ୟବନ୍ତ ମୋର ଅଟଇ ଯେବଣ ବଳା

ଅଗାଦ ସମୁଦ୍ରେ ସେ ବୁଡ଼ାଇଲା ମୋର ଭେଳା।୨୧୦।

ପୃଥୀଗତେ ବସିଲା ଯେ ତାହାର ରଥ ଗୋଟି

ତାହାକଇଂ ସାଂଗ୍ରାମେ ମାଇଲା ପାପିଷ୍ଠ କିରୀଟୀ।୨୧୧।

ପୁତ୍ର ଅପମାନେ ମୁଂ ଶୁଣିଲି ଯେତେକ

ସୁମରିଣ ଶୋକ ମୁଂ ସମ୍ଭାଳିବି କେତେକ।୧୧୨।

ୟେ ଦୁଖଭାରା ମୁଂ କେସନେକେ ଉପେକ୍ଷଇ

ଅହନିଶି କର୍ଣ୍ଣକଇଂ ମୁଂ ସପନ ଦେଖଇ।୨୧୩।

ପୂର୍ଣ୍ଣମୀ ଚନ୍ଦ୍ରମା ଜାଣି ଦିଶଇ ପୁତ୍ର ମୁଖଗୋଟି

ବନ୍ଦି ଯେହ୍ନେ ଅଭ୍ୟାସେ ପୁରାଇବ ଅରିଷ୍ଟି।୨୧୪।

ହିଡିମ୍ୱିକୀର ନନ୍ଦନ ଘଟୁକା ମୋହୋର ମଲା

ପାଞ୍ଚାଳକୁମାର ଅଭିମନ୍ୟୁ ମୋହୋର ନାଶଗଲା।୨୧୫।

ଭୋଜକୋନ୍ତ ନନ୍ଦନ ପଡ଼ିଲେ ମୋହୋର ପିତାଭାଇ

ୟେହାଂକ ପାଇଂ ତୀର୍ଥେ ସ୍ରାନ କରିବଇଂ ମୁହିଂ।୨୧୬।

ଯୁଝେଷ୍ଠି ବୋଇଲେ ମାତା ଗୋ ୟେହାଂକ ପାଇଂ କଲୁ ବ୍ୟଥା

ବେଳହୁଂ ଅନୀତି ଗୋ ହେଉଛି ତୋହୋର କଥା।୨୧୭।

କୃଷ୍ଣ ମଧ୍ୟପାତ୍ର ଗଣେ ଆସିବାର ବେଳେ

ବିଦୁର ଘରେ ଯେ ସେ ରହିଲେ ନିଶାକାଳେ।୨୧୮।

କୃଷ୍ଣକଇଂ ଆପଣେ ତୁ ଛୁଆଂଇଲୁ ଦେହ

ସନ୍ଧି କଲେ ବାସୁଦେବ ତୁ ମୋତେ କରୁଦ୍ରୋହ।୨୧୯।

ଆପଣେ ଭିଆଇ ମା ଗୋ ପରକଇଂ ଦେଉ ଦୋଷ

ଶେଷ କାଳେ ମାତା ଗୋ ବୋଲିବା ତୋତେ କିସ।୨୨୦।

କୋଇନ୍ତାୟେ ବୋଇଲେ ବାବୁ ଛାଡ଼ ତୁ ସେମାନ

ଗତକଥା ଶୋଚନା କଲେ ଶରୀର ହୋୟେ କ୍ଷୀନ୍ନ।୨୨୧।

ବାବୁ ମାତା ପିତା କି ସର୍ବଦା ଦିନେ ଥାଇ

କଦଳୀ ବୃତ୍ତାନ୍ତଟି ୟେ ମନୁଷ୍ୟର ଦେହୀ।୨୨୨।

ମୁହିଂ ତୁମ୍ଭର ଜନନୀ ପୋଷନ୍ତ ଅବା ଯାହା

ବଚନେଣ ମାଗିବି ତୁ ପାଳିବୁନା ତାହା।୨୨୩।

ବାବୁ ୟେ ଯେ ଦ୍ରୋପତୀ ଅଟଇ ତୁମ୍ଭର ଯୁବତୀ

ଛାଇ ପ୍ରାୟେ ଜାଣିୟେ ଖଟଇ ଦିବା ରାତି।୨୨୪।

ଅନେକ ଦୁଖ ସେ ଯେ ପଡ଼ିଲାକ ବନ

ପାଞ୍ଚଗୋଟି ପୁତ୍ର ୟେହାର ହୋଇଲା ନିଧନ।୨୨୫।

ଯେମନ୍ତେ ପୁତ୍ର କଥାୟେ ନଧରଇ ମନେ

ତେସନେ କରି ୟେହା ପାଳିବ ପଞ୍ଚୁଜନେ।୨୨୬।

ପିତା ପୁତ୍ର ଭ୍ରାଥ ୟେହାର ପଡ଼ିଲେ ସମସ୍ତ

ଦୋଷକଲେ ୟେହାରେ କୋପ ନକରିବ କଦାଚିତ।୨୨୭।

ପୁତ୍ରନ୍ତ ତିଆରି ସେ କୋନ୍ତଭୋଜର ନନ୍ଦିନୀ

ଦ୍ରୋପତୀଂକି ତିଆରନ୍ତି ଅନେକ ସନମାନ ଘେନି।୨୨୮।

ତୁ ଗୋ ମାତା ମୋହୋର ମନେ ନକରିବୁ ଚିନ୍ତା

ୟେକାଙ୍ଗ ରାଣୀ ତୁ ଗୋ କେହି ନାହିଂ ଅହନ୍ତା।୧୨୯।

ପଞ୍ଚଭ୍ରଥା ତୋହୋର ଦିଗପାଳ ସମହିଂ

ସଂପୂର୍ଣ୍ଣ ଶିରୀ ଭୁଞ୍ଜ ତୁମ୍ଭଂକୁ କିସ ଦୁଖଇ।୨୩୦।

ପୃଥୀକି ରାଜ୍ୟଭୋଗ ଯୁଝେଷ୍ଠି ରାଜଋଷି

ତାହାର ପାଟରାଣୀ ତୁ ଅଟୁ ଗୁରୁହଂସୀ।୨୩୧।

ଯେତେକ ଅପଛାତି ତୁ ବହିଲୁ ସ୍ତିରୀଜନ୍ମେ

ଯେତେକ ମହିମାଂକେ ପାରି ନାରୀଧର୍ମେ।୨୩୨।

ପୁତ୍ର ଅର୍ଥେ କ୍ରୋଧ ଗୋ ନକରିବୁ କୁଳବଧୂ

ଦଇବତ ଭୋଗ୍ୟ କେ ପାରୁ ୟେହା ଛେଦୁ।୨୩୩।

ଭ୍ରଥାଂକର ମନୁ ଯେ ହାରିବୁ ବିଷାଦ

କେସନେକେ ନମଣିବୁ ପ୍ରୀତି ଦୁଖପଦ।୨୩୪।

ଆରେକ ବଚନ ମା ଗୋ ପ୍ରକାଶଇ ତୋତେ

ନପୁଣ ସହଦେବ ସୁମରଇ ମୋତେ।୨୩୫।

ଭୋ ରାଜନ ପୁତ୍ରକଇଂ ଚୁମ୍ୱନ ଦେଇଣ ପଣ୍ଡୁରାଣୀ

ଦ୍ରୋପତୀଂକି ଆଲିଙ୍ଗନ କରଇ ପୁଣ ପୁଣି।୨୩୬।

ଧୃତିରାଷ୍ଟ ଗାନ୍ଧାରୀ କୋଇନ୍ତା ବିଦୁର ସଞ୍ଜୟେ

ରାଜ୍ୟ ଛାଡ଼ି ପାଞ୍ଚହେଂ ବନକୁ ଗମନ କୟେ।୨୩୭।

ସଞ୍ଜୟେ ବିଦୁର ଆଗେ ପଥେ କୋଇନ୍ତା ଯେ ମାତ

କୋଇନ୍ତା କାନ୍ଧେ ଯେ ଗାନ୍ଧାରୀଂକ ହାଥ।୨୩୮।

ରାଜ୍ୟଭାର ତେଜିଣ ସେ ପଶିଲେ ବନମାର୍ଗେ

ପୁରଜନମାନେ ଦେଖିତେ ଅଇଲେ ଅତିବେଗେ।୨୩୯।

ହା ହା କାର କରନ୍ତି ଥୋକେ ଅଶ୍ରୁଜଳ ଆଖି

ଧଇର୍ଯ୍ୟ ଧରି ତନୁ ନୁଆରନ୍ତି ଦେଖି।୨୪୦।

ଗାନ୍ଧାରୀର ମୁଖେ ଅଛଇ ଅନ୍ଧ ଯେ ପଟଳ

ସର୍ବଦା ଚକ୍ଷୁ ଦିଶଇ ଧୃତିରାଷ୍ଟ ମହୀପାଳ।୨୪୧।

ଫଳ ମୂଳ ଜଳ ୟେ ବନେ ପାଇବେଟି କାହିଂ

କୋଇନ୍ତା ବୃଦ୍ଧ ଆତ୍ମା ୟେହାଂକର ବଳ ନାହିଂ।୨୪୨।

ୟେଥି ଯେ ଥିଲେ ଦିବ୍ୟ ପଲଂକର ଯୋଗେ

ଭୂମିରେ ଶଯ୍ୟା କେସନେକେ କରିବେ ୟେ ୟେବେ।୨୪୩।

ଖଣା ଖାଲ ଡିଙ୍ଗର ୟେ ନଜାଣନ୍ତି କିଛି

ପୁଣ ସେ ବିଦୁର ନୁଆରଇ ମନ ମୃଚ୍ଛି।୨୪୪।

କେସନେକେ ଧୃତିରାଷ୍ଟ ବନେ ଦୁଖ ସହୁ

ଦୁଶୀଳା କନ୍ୟାର ୟେଥେ କେସନେକେ ଦିନ ଯାଉ।୨୪୫।

ୟେତେକ କହିଣ ତହୁଂ ବାହୁଡ଼ିଲେ ଲୋକେ

ପୁରୁଂ ଅଦୃଶ୍ୟ ସେ ହୋଇଗଲେ ୟେକେ ୟେକେ।୨୪୬।

ଜୟ ତୁ କେଶବ ରୂପୀ ଜୟ ନାରାୟଣ

ସର୍ବ ଭୂତନାଥ ତୁମ୍ଭେ କରସି କାରଣ।୨୪୭।

ସତତ ପ୍ରଣମିତ ମୋହୋର ଶ୍ରୀହରିର ପାଦତଳେ

ଯେବଣ ସ୍ୱାମୀ ବଳୀକି ଚାପିଲେ ପାତାଳେ।୨୪୮।

ବିକଚ ନୀଳକମଳ ରୁଚିର ଯାହାର ତନୁବର୍ଣ୍ଣ

ତହିଂମଧ୍ୟେ ମନ ମୋର ହେଉ ସଦା ଲୀନ।୨୪୯।

ଅକଳିତ ସାଗରେ ପଶିଲଇଂ ନଜାଣି

ୟେ ମହା ଦୁସ୍ତରୁ ମୋତେ ଉଦ୍ଧର ଚକ୍ରପାଣି।୨୫୦।

ସ୍ରାହାନ ଭୋଜନ ଯେ ଶୟନ ଅନୁବ୍ରତେ

ହରି ବିନୁଂ ଅନ୍ୟ ନ ଭାବୁଂ ହୃଦଗତେ।୨୫୧।

ବୁଝିଲୁ ୟେ ସଂସାର ଚିତ୍ରପଟ ପ୍ରାୟେ

ଜଳବିନ୍ଦୁ ଜାଣିଣ ଯେ ମନୁଷ୍ୟର କାୟେ।୨୫୨।

କୃଷ୍ଣର ପାଦପଦ୍ମେ ଲୟେ ରହୁ ନିରବଧି

ଶୂଦ୍ରମୁନି ସାରୋଳାଦାସ ବଦୟନ୍ତି ଗୁଣନିଧି।୨୫୩।

 

କୁନ୍ତୀ, ଗାନ୍ଧାରୀ ସହ ଧୃତିରାଷ୍ଟ୍ର, ସଞ୍ଜୟ ଓ ବିଦୁରର ବାନପ୍ରସ୍ଥାଶ୍ରମେ ଗମନ ଓ ତୀର୍ଥଯାତ୍ରା ବର୍ଣ୍ଣନା

ଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁ

ଧୃତିରାଷ୍ଟ ଗାନ୍ଧାରୀ ମିଳିଲେ କେବଣ ବନୁଂ।୧।

କଥୟନ୍ତି ମୁନି ପଣ୍ଡିତ ବାଳଖିଳା

ଶୁଣ ମହାରାଜା ଧାର୍ମିକ ମତିଭୋଳା।୨।

କାର୍ତ୍ତିକମାସ ଶୁକଳପକ୍ଷ ଗୁରୁବାର

କୃତ୍ତିକା ଅନ୍ତେ ରୋହିଣୀ ଭୋଗ ଦଣ୍ଡ ତେର।୩।

ବାଳକ ନାମେ କରଣ ଶିବ ନାମେ ଯୋଗ

ତିରିଶ ଦିନ ଯେ ତୁଳା ସଂକ୍ରାନ୍ତିକି ଭୋଗ।୪।

ବେଳ ଚାରିଦଣ୍ଡ ଯାୟେ ବୃହସ୍ପତି ବେଳା

ବାନପ୍ରସ୍ଥକୁ ଗମିଲା ଅମ୍ୱିକାର ବଳା।୫।

ଶୁଣ ହୋ ରାଜନ, ଅନ୍ଧ ଅନ୍ଧୁଣୀ ଯେ ନ ଚିହ୍ନନ୍ତି କିଛି

ଯେବଣ ବୃକ୍ଷ ଶରୀରେ ଲାଗଇ ତାହାର ପତ୍ର ଭକ୍ଷି।୬।

ଆହୋ ଚଇତନ ଯେବଣ ଫଳ ଲାଗି ତିହିଂ ଫଳଭୋଗୀ

ଦାରକ୍ଷ ଫଳଭୋଗୀ ହୋଇ କୋଚିଲା ଫଳଟି ନଲାଗି।୭।

ଆପଣେ ଯାହା ଅରଜି ଭୁଞ୍ଜିବ ଅବଶ୍ୟ

କଲା କୃତ୍ୟ ଭୁଞ୍ଜି ସିନା ଆନର କିସ ଦୋଷ।୮।

ଧୃତିରାଷ୍ଟର ଗ୍ୟାନୁକରି ଯୁଝେଷ୍ଠି ଯାନ୍ତି ବନ

ଅନ୍ତକାଳକୁ ନଗଲାଟି ଯେ ଯାହା ଅର୍ଜନ।୯।

ତପସ୍ୱୀ ଶରୀର ଧରିଣ ରାଜ୍ୟରୁ ବାହାର ହୋଇଲେ

ତମସା ନଦୀ ଉତ୍ତର କୂଳେ ଗଲେ

ଅନେକ ଦେଶ ଗିରି କନ୍ଦରେ ବୁଲିଲେ।୧୦।

କନ୍ଦମୂଳ କୋମଳ ପତ୍ର ଭକ୍ଷି ନିଅନ୍ତି ଯେ ଦିନ

ଦିବସେ ପବନ କରନ୍ତି ରାତ୍ରେ କୋମଳ ପତ୍ରେ କରନ୍ତି ଶୟନ।୧୧।

ୟେମନ୍ତେ ପାଞ୍ଚମାସ ପାଞ୍ଚଦିବସ ଗଲେ ଚାଲି

ପ୍ରବେଶ ହୋଇଲେ ଯାଇଂ ଗୟାତୀର୍ଥ ବୋଲି।୧୨।

ବହଇ ଶୋଣଭଦ୍ରା ପାତାଳ ବାହିନୀ

ତହିଂ ସ୍ରାହାନ ସାରି ଫଲୁକୀ ବିଜୟେ ଘେନି।୧୩।

ବ୍ରହ୍ମାର ନନ୍ଦିନୀ ଫଲୁକୀ ତହିଂ ସାକ୍ଷୀ

ବନ୍ଧୁ ସହୋଦ୍ର କୁଟୁମ୍ୱ ଯାଇ ତହିଂ ଦେଖି।୧୪।

ସେ ତୀର୍ଥର ଦେବତାଂକୁ କଲେ ଦରଶନ

ବ୍ରାହ୍ମଣଂକ ହାଥରେ ଥୋକାୟେ ଦିଲେ ଦାନ।୧୫।

ଯେ ମହାତୀର୍ଥେ ଯେ ରାମଘାଟ କୁଣ୍ଡ

ସୋମ ଗୋତ୍ର ନିମନ୍ତେ ଦିଲେକ ବାଲିପିଣ୍ଡ।୧୬।

ଭୀଷ୍ମ ଭୂରିସର୍ବା ବାଲହୀଂକ ସୋମଦତ୍ତେ

ଶଲ୍ୟ କର୍ଣ୍ଣ ଶକୁନି ମମ ଶତପୁତ୍ର ସହିତେ।୧୭।

ବିରାଟ ଦ୍ରୋପତ ଅଭିମନ୍ୟୁ କୋନ୍ତଭୋଜ

ୟେମାନଂକ ମୂଳ ଯେତେ ସୋଦର ବନ୍ଧୁ ଯେ ଆତ୍ମଜ।୧୮।

ଉଭୟ ବଳେ ପଡ଼ିଲେ ଯେତେକ ସଇନି

ସବୁନ୍ତି ହିଂ ଧୃତିରାଷ୍ଟ ଦିଲେ ବାଲିପିଣ୍ଡ ଘେନି।୧୯।

ଧୃତିରାଷ୍ଟ ଦିଅନ୍ତେଣ ପାତିଲେ କରସ୍ଥଳ

ବାଲିପିଣ୍ଡ ଭକ୍ଷି ମୋକ୍ଷ ହୋଇଲେ ସକଳ।୨୦।

ଗୟାରେ ଶ୍ରାଦ୍ଧକଲେ ଉପରେ ବଂଶେ ଯେତେଲୋକ

ସମସ୍ତେ ମୋକ୍ଷଗତି ପାଇ ମୁକତି ହୋଇଲେକ।୨୧।

କଲେ ପିତୃକାର୍ଯ୍ୟ ତହିଂ ବିଦୁର ସଞ୍ଜୟେ

ଗାନ୍ଧାରୀ ସହିତେ ଶ୍ରାଦ୍ଧକରନ୍ତି କୋଇନ୍ତାୟେ।୨୨।

ସତ୍ୟବାକ୍ୟ ଉଚ୍ଚାରି ଗଦାଧର ପରସନେ

ତିନିଦିନ ରହିଲେ ପୂରକ ତୀର୍ଥସ୍ଥାନେ।୨୩।

ବିଛା ଧନୁ ବେନିମାସ ପୁଣ ତହିଂ ଯାନ୍ତେ

ପ୍ରାଗତୀର୍ଥେ ପ୍ରବେଶ ହୋଇଲେ ଗମନ୍ତେ।୨୪।

ଗଙ୍ଗା ଯମୁନା ସରସ୍ୱତୀ ବହଇ ତିନି ଧାର

ସ୍ରାହାନ କଲେ ଯାଇଂ ସେ ସଙ୍ଗମ ତୀର୍ଥର।୨୫।

ତହିଂରେ ଯଥାବିଧି ପିଣ୍ଡଦାନ ଦିଲେ

ମାଧବ ଦ୍ରଶନେ ମକର ମାସକ ବଞ୍ଚିଲେ।୨୬।

କଳପି ରାଜାୟେ ତହିଂ ବୋଇଲାକ ଆସି

ଆହୋ ଧୃତିରାଷ୍ଟ ରାଜା ତୁ ଅଟ ପୁଣ୍ୟରାଶି।୨୭।

ୟେ କାୟା ମୃତୁପିଣ୍ଡ ସେ ଅଟଇ ନକର ୟେହା ଇଚ୍ଛା

ତୀର୍ଥସେବା ୟେବେ ତୁମ୍ଭେ କର ମନବାଞ୍ଛା।୨୮।

ପୂର୍ବେ ବଇବସୁତ ମନୁ ରାଜାୟେ ହୋଇଥିଲା

ରାଜଭୋଗ ଛାଡ଼ିଣ ତୀର୍ଥ ସେବା କଲା।୨୯।

ଭାରଥ ଭାଗୀରଥୀ ପୁରରବା ଯଯାତି ନୃପତି

ତୀର୍ଥ ସେବା କରିଣ ଆସି ସମସ୍ତେ ହୋଇଲେ ତ୍ରିପୁତି।୩୦।

ରାଜଭୋଗ କଲେ ନାନା ପାତ କଆପ ଦଅଛଇ

ଅଇଶୁର୍ଯ୍ୟ ପଣେ ବାବୁ ଧର୍ମ ନ ଗଚ୍ଛଇ।୩୧।

ତୀର୍ଥଯାତ୍ରୀ ବିନା ସେ ପାପକୁ ଆନ ଧର୍ମ ନାହିଂ

ତୀର୍ଥ ଦ୍ରଶନେ କୃତାର୍ଥ କର ନିଜ ଦେହୀ।୩୨।

ତହୁଂ ଧୃତିରାଷ୍ଟ ଯେ ଆନ ବନେ ଗଲେ

ନାରଦ ମୁନିଂକି ନାରଦ ପର୍ବତେ ଦେଖିଲେ।୩୩।

ଧୃତିରାଷ୍ଟ ଗାନ୍ଧାରୀ ଯେ ପାଣ୍ଡବ ଜନନୀ

ସଞ୍ଜୟ ବିଦୁର କଲେ ନାରଦ ଚରଣେ ଦଇନି।୩୪।

ଅନେକ କଲ୍ୟାଣ କଲେକ ମହଋଷି

ଧୃତିରାଷ୍ଟ ରାଜାଂକୁ ବହୁତ ପ୍ରଶଂସି।୩୫।

ନାରଦେ ବୋଇଲେ ଭଲକୃତ୍ୟ ହିଂ ସେ କଲୁ

ତୁ ଯେ ଧୃତିରାଷ୍ଟ ତପେଣ ବନକୁ ଅଇଲୁ।୩୬।

ସ୍ୱର୍ଗେ ପଣ୍ଡୁକୁ ଦେଖିଲୁ ତୋହୋର ଭାଇ

ତୋହୋର ଯିବାକୁ ସେ ଅଛି ବାଟ ଚାହିଂ।୩୭।

ଅଶଉଚ କର୍ମେ ସ୍ୱର୍ଗେ ଠାବ ନାହିଂ

ଦିଲା ଅଛଇ ଅର୍ଗଳି ସ୍ୱର୍ଗେ ପଶିତେ କ୍ଷମ ନାହିଂ।୩୮।

ପୁତ୍ର ପଉତ୍ର ଭାରିଜା ନୋହଇଟି କାହାରି

ଦେଖଂ ଦେଖୁଂ ତୋହୋର ସମସ୍ତ ଅପହରି।୩୯।

ୟେ ମୃତୁମଣ୍ଡଳେ ତୁ କିସ ଭୋଗକଲୁ

ଲୋଭ ମୋହ ଶୋକେଣ ପଡ଼ି ବୁଡ଼ିମଲୁ।୪୦।

ପଞ୍ଚଇନ୍ଦ୍ରିୟ ଅଟଇ ଭୋଗକାରୀ

ୟେଣେ ସେ ସଂସାରେ ଅଗ୍ୟାନେ ଅପହାରି।୪୧।

ମନେକରି ଯେବେ ହାଦେ ୟେହା ନିବାରି

ତେବେ ସେ ମୋହ ଜଳୁଂ ହୋଇବାକ ପାରି।୪୨।

ଅନେକ ଗ୍ୟାନ ଯେ କହିଲେ ହାଦେ ଦେବଋଷି

ୟେମନ୍ତେଣ ବ୍ୟାସେ ପ୍ରବେଶ ହୋଇଲେକ ଆସି।୪୩।

ବ୍ୟାସଂକୁ ଦେଖିଣ ପ୍ରଣପତ୍ୟ ଧୃତିରାଷ୍ଟ

ଭୋ ପିତା ତୋହୋର ଥାଆନ୍ତେ ମୋହୋର ୟେତେ କଷ୍ଟ।୪୪।

ବ୍ୟାସେ ବୋଇଲେ ବାବୁ ତୁ ଭଲ କୃତ୍ୟ କଲୁ

ଗୃହବାସ ତେଜି ବନ ବାସକୁ ଅଇଲୁ।୪୫।

କ୍ଷତ୍ରୀଂକର ସାଂଗ୍ରାମେ ମୃତୁହିଂ ସେ ଗତି

ଅନ୍ୟେ ମୃତୁ ଲଭିଲେ ପାଆନ୍ତି ନର୍କ ଗତି।୪୬।

ଜନ୍ମହୁଂ ଯେଣୁଟି ତୋହୋର ଚଛୁ ନାହିଂ

ତୁହୋ ରଣ ଯଗ୍ୟଂ ପାଇବୁ ଆର କାହିଂ।୪୭।

ଚିନ୍ତା ଉପେକ୍ଷି ୟେବେ ଥାଅ ବନବାସେ

ୟେବେ କହିଂଣ ତହୁଂ ଯେ ଗଲେ ବେଦବ୍ୟାସେ।୪୮।

ନାରଦ ପୂର୍ବତୁଂ ଯେ ଗଲେ ପଞ୍ଚୁଜଣେ

ଗଙ୍ଗାକୂଳେ ଯାଇଂ ରହିଲେ ଗହନ ବିପୁନେ।୪୯।

ନାନା ବିପିନେ ତହିଂ ଅଛି ତରୁମାଳ

ହାନ୍ଦୋଳନ୍ତି ପବନେ ଲତା ପଂକୁ ଫଳ।୫୦।

ବକୁଳ ମାଧବୀ ନାଗେଶ୍ୱର ଯୋଗ

ରଜନୀୟେ ଭ୍ରସଳେ ଚୁମ୍ୱନ୍ତି ପରାଗ।୫୧।

ରାବନ୍ତି କୋକିଳେ ଯେ ବସନ୍ତର ବାଣୀ

ଶୁଣନ୍ତେ ଶୋକଯେ ଉପେକ୍ଷିଲେ ପଞ୍ଚୁପ୍ରାଣୀ।୫୨।

ବହୁତ ବନଜୀବ କ୍ରୀଡ଼ନ୍ତି ସେ ବନେ

କରିବର ମୃଗ ହୟେ ବାଉଟିଆ ଜୀବମାନେ।୫୩।

ବିବିଧ କାନନୁଂ ପାଇଣ ସେ ବନପୂଜା

ଆଶ୍ରମ ସୁଲଭେ ରହିଲେ କୁରୁରାଜା।୫୪।

ଗଙ୍ଗାର ପନ୍ତାରେ ସେ ପର୍ଣ୍ଣକୁଟୀ କଲେ

ଫଳମୂଳ କନ୍ଦ ଆହାରେ ଦିନ ନେଲେ।୫୫।

ସ୍ରାହାନେ ତର୍ପଣ ନିତ୍ୟକର୍ମ ପୂଜା ସାରି

ତହୁଂ ଉତ୍ତାରେ ଯେ ଆହାର ସଞ୍ଚାକରି।୫୬।

ନାରଦ ପର୍ବତୁଂ ଯେ ଗଲେ ବ୍ୟାସଋଷି

ଇନ୍ଦ୍ରପ୍ରଶସ୍ତରେ ପ୍ରବେଶ ହୋଇଲେକ ଆସି।୫୭।

ଆସ୍ତାନେ ଦେଖିଲେ ଯୁଝେଷ୍ଠି ପୂରିତ ଗହଳ

ବ୍ୟାସଂକୁ ଦେଖିଣ ଯେ ଉଠିଲେ ସକଳ।୫୮।

ସମସ୍ତ କୁଟୁମ୍ୱ ଘେନିଣ ଯୁଝେଷ୍ଠି ଦେବରାଜା

ବ୍ୟାସଂକର ପଦ୍ମପାଦେ କଲେ ଦିବ୍ୟପୂଜା।୫୯।

ବ୍ୟାସେ ବୋଇଲେ ବାବୁ ଶୁଣ ରାୟେ ଯୁଝେଷ୍ଠି

ଗଙ୍ଗାକୂଳେ ଦେଖିଲୁ ତୋହୋର ଦେଢୁତା ଧୃତିରାଷ୍ଟି।୬୦।

ଗାନ୍ଧାରୀ କୋଇନ୍ତା ବିଦୁର ଗାଲବ୍ୟର ସୁତ

ଯୁଝେଷ୍ଠି ବୋଇଲେ ମୋତେ ତାଂ କୁଦେଖା ନେଇ
ତାତ।୬୧।୩୧୪।

 

ଯୁଝିଷ୍ଠରଙ୍କର ସସୈନ୍ୟେ ଧୃତିରାଷ୍ଟଙ୍କ ନିକଟକୁ
ଗମନ ଓ ବିଧବା ନାରୀମାନଙ୍କ ସ୍ୱର୍ଗପ୍ରାପ୍ତି

ବ୍ୟାସେ ବୋଇଲେ ହୋ ଚାଲ ଯିବା ବନେ

ଅନେକ ସଇନି ତୁଲେ ପାଣ୍ଡବ ପଞ୍ଚୁଜଣେ।୧।

ଶତେ ଭାଇଂକର ଯେତକ ଯୁବତୀ

ସମସ୍ତ ନାରୀମାନେ ଗୋଡାଇଲେ ପଛ କତି।୨।

ଚଳନ୍ତେ ପ୍ରବେଶ ଯେ ହୋଇଲେ ଗଙ୍ଗାକୂଳେ

ବିଦୁରେ ବୋଇଲେ ଧୃତିରାଷ୍ଟଂକ ଆଗେ ଅଇଲେ ସକଳେ।୩।

ଧୃତିରାଷ୍ଟ ବୋଇଲେ ଯେବେ ଅଇଲେ ଯୁଝେଷ୍ଠି ସହିତେ

ଆହୋ ବିଦୁର ଆସୁଛନ୍ତି ଆମ୍ଭନ୍ତ ନେମାର ନିମନ୍ତେ।୪।

ଗଙ୍ଗାକୂଳେ ଆସି ଦେଖିଲେ ପର୍ଣ୍ଣକୂଟୀ

ହା ହା ନାଥ ବୋଲି ପଡ଼ିଲେ ଭୂମିରେଣ ଲୋଟି।୫।

ଦୃଶିଳା ଗାନ୍ଧାରୀର ପାଦ ଦୁଇଧରି

ଉଚ୍ଚ ସ୍ୱରେ କାନ୍ଦିଲା ଯେ ଯଦ୍ୟରଥ ସୁମରି।୬।

ଭାନୁମତୀ ସହିତେଣ ଯେତେକ ଯୁବତୀ

ଶାଶୁକୁ ଦେଖିଣ ଶୋକ କରନ୍ତି ଅପ୍ରମିତି।୭।

କରେ ଶିର ତାଡ଼ି ପୁତ୍ର ସୁମରିଣ ମନେ

କି ଜାଣି ସମସ୍ତେହେଂ ମଲେ ସେହିଦିନେ।୮।

ଅଶ୍ରୁଜଳେ ସମସ୍ତଂକ ବକ୍ଷ ହୋଇଲାକ ଧୋଇ

ଧଉର୍ଯ୍ୟବନ୍ତ ହୋଇ କେହି ୟେକ ସ୍ତିରୀ ନାହିଂ।୯।

କେବଣ ନାରୀକି ଅବା ହୋଇନାହିଂ ବ୍ୟଥା

ତାହାକଇଂ ପ୍ରବୋଧ କରିକେ କହିବାକ କଥା।୧୦।

ଷୋଳ ବରଷ ହେଲା ଯେ ଥିଲେକ ଉପେକ୍ଷି

କ୍ରୋଧ ବଢିଲା ଧୃତିରାଷ୍ଟ ଗାନ୍ଧାରୀଂକି ଦେଖି।୧୧।

ଅଧର କମ୍ପାଇଣ ସେ କହନ୍ତି ବଚନ

ବ୍ୟାସଂକର ମୁଖଚାହିଂ ସୁନ୍ଦରୀୟେ କାନ୍ଦନ୍ତି ଘନ ଘନ।୧୨।

ବୋଲନ୍ତି ଗୋ ବ୍ୟାସେ ୟେବେ କରିବା ପ୍ରତିକାରେ

ତୁମ୍ଭେ ଆସି ମିଳିଲ ସୁଫଳ ହୋଇଲା ଆମ୍ଭରେ।୧୩।

ବ୍ୟାସେ ବୋଇଲେ ଉଭାତା ଦେଖି ଅଇଲୁଂ ଧୃତିରାଷ୍ଟ

ସୁଖ ନୋହିଲାତ ହୋଇଲା ବଡକଷ୍ଟ।୧୪।

ବ୍ୟାସେ ବୋଇଲେ ଧୃତିରାଷ୍ଟ ତୋତେ ଦେଖି ରୋବନ୍ତି ବିକଳେ

ତୁ ସେ ସମ୍ୱୋଧୁବୁନା ବଧୂର ସକଳେ।୧୫।

ଧୃତିରାଷ୍ଟକଇଂ ବ୍ୟାସେ ସମ୍ୱୋଧନା କରି ଆସି

ବଧୂଜନମାନନ୍ତ ଯେ ବୋଲନ୍ତି ଆଶ୍ୱାସି।୧୬।

ବ୍ୟାସେ ବୋଇଲେ ଆଈଗୋ କ୍ରୋଧ ଶାନ୍ତି କର

ଭ୍ରଥାୟେ ମୃତୁପଥେ ନାହାନ୍ତିନା ତୁମ୍ଭର।୧୭।

ତୁମ୍ଭେ ଯେ ଅପ୍ରତେ ଅବା ଗଲ ସର୍ବନାରୀ

ୟେହିକ୍ଷଣି ଦେଖାଇବା କି ଭ୍ରଥାନ୍ତ ତୁମ୍ଭରି।୧୮।

ମୁଖେଣ ଅଙ୍ଗୁଷ୍ଠି କେ ଦନ୍ତେଣ ତିରଣ ଧରି

କେ କରେ କାର୍ପୁଣ୍ୟ କେ ପାଦତଳେ ପଡ଼ି।୧୯।

କେଶ ବାସ ଆସମ୍ଭାଳ କାନ୍ଦନ୍ତି ଭୂମିଲୋଟି

କେ ବୋଲନ୍ତି ଜନ୍ମେ ଜନ୍ମେ ହୋଇଥିବୁ ତୁମ୍ଭର କନ୍ୟା ଯେ ଆମ୍ଭେଟି।୨୦।

ତୁମ୍ଭର ଅନୁଗ୍ରହେ ସ୍ୱାମୀଂକି ଯେବେ ପାଉ

ଦୁଖ ମହାଘୋର ତାପ ଯେ ମନୁ ଯାଉ।୨୧।

ଷୋଳବରଷ ହୋଇଲା ସ୍ୱାମୀଂକି ନ ଦେଖିଲୁ ନୟନେ

ୟେ କଷ୍ଟ ପାରଯିବ ବ୍ୟାସଦେବଂକ ପରସନ୍ନେ।୨୨।

ସପନ ଫଳ ପ୍ରାୟେ ତ କହିଲ ନଜାଣି

ଆତ୍ମା ଦହିଜ ହୋଇଲା ତୁମ୍ଭର ବୋଲଶୁଣି।୨୩।

ଆଶା ଦେଖାଇ ଯେ ମୁନି କରନ୍ତି ନିରାଶ

ଆପଣତ ଜାଣନ୍ତି ୟେ ୟେଥିରେ କେତେ ଦୋଷ।୨୪।

ଦେଖିଣ ରୋମାଞ୍ଚଇ ଶରୀର ଉତସଲ୍ୟ

ଆରେକ ବେଳେ ତ ୟେହି କଥା ବୋଲ।୨୫।

କାକୁସ୍ଥ ବଚନ ଶୁଣିକରି ସତ୍ୟବତୀର ନନ୍ଦନ

ଗଙ୍ଗାଜଳେ ପଶି ମୁନି କଲେକ ସ୍ରାହାନ।୨୬।

ମନ୍ତ୍ର ଅଭ୍ୟାସିଣ ସେ ଚିନ୍ତିଲେକ ଋଷି

ଦିବ୍ୟ ଅବତାର ହୋଇ ମିଳିଲେ ଭୀଷ୍ମେ ଆସି।୨୭।

ପୁଣିହିଂ ଚିନ୍ତାକଲେ ମିଳିଲେକ ଦ୍ରୋଣେ

ଭୂରିସର୍ବା ବାଲ୍‌ହିକ ଯେ ସୋମଦତ୍ତ ରାଣେ।୨୮।

ପୁଣି ଧ୍ୟାନେ ଚିନ୍ତନ୍ତି ସତ୍ୟବତୀର ସନ୍ତତି

କର୍ଣ୍ଣ ମିଳିଲା ଆସି କୋଇନ୍ତାଂକର କତି।୨୯।

ଦ୍ରିଯୋଧନ ଅଇଲା ଶତେ ଭାଇର ତୁଲେ

ଲକ୍ଷ୍ମଣକୁମାର ଅଇଲା ତୁଲେ ଶକୁନି ଶଇଲ୍ୟେ।୩୦।

ବିରାଟ ଦ୍ରୁପଦ ଶ୍ରୀଖଣ୍ଡୀ ଧୃଷ୍ଟ ଯେ ଦ୍ୟୁମନ

ଅଭିମନ୍ୟୁର ତୁଲେ ବିରାଟ ପୁତ୍ରମାନ।୩୧।

ଅଇଲେ ଜଦ୍ୟରଥ ପାଞ୍ଚାଳ କୁମରେ

ଅଳମ୍ୱୁଷ ଘଟଉତ୍କଚ ଯେ ଅଇଲେ ସର୍ବ ବୀରେ।୩୨।

ଅଷ୍ଟାଦଶ ଦିବସେ ପଡ଼ିଥିଲେ ଯେତକ

ସଞ୍ଚପି କହନ୍ତେଣ ଲେଖିବା କେତେକ।୩୩।

ସେହିକାଳେ ଯେହ୍ନେକ ଥିଲେ ଯଥା ରୂପେ

ଅନେକ ଅଳଂକାର ଯେ ଆଭରଣ ସରୂପେ।୩୪।

ବେଦବ୍ୟାସେ ବୋଇଲେ ଗୋ ଶୁଣସି ସର୍ବବାମା

ଯେ ଯାହାର ସ୍ୱାମୀକି ଗୋ ଚିହ୍ନିଣ ୟେଥୁ ନେମା।୩୫।

ରାତ୍ରେକ ଦିବସେକ ଆଜ ତୁମ୍ଭକୁ କ୍ଷଣେକ ଅଟଇ

କର ରତିଭୋଗ ତୁମ୍ଭର ଯେତେକ ମନ ଶାନ୍ତି ହୋଇ।୩୬।

ଉଜାଗରେ ଆଜ ତୁମ୍ଭେ ନିଶି ପୁହାଇବ

ପ୍ରଭାତେ ନୋହିବ ସିନା ରତି ରସ ଭାବ।୩୭।

ୟେତେକ ଶୁଣନ୍ତେ ସେ ଧାମନ୍ତି ସର୍ବନାରୀ

ସଭାରୁ ଭ୍ରଥାନ୍ତ ସେ ଯେ ଆଣନ୍ତି କୋଳକରି।୩୮।

ପୁଣ ଆରୋପଣ ଯେ କଲେକ ମହଋଷି

ସୁବର୍ଣ୍ଣର ଶତେ ପୁର ମାୟାରେ ମିଳିଲାକ ଆସି।୩୯।

ଦିନକର ଅନ୍ତେ ଯେ ହୋଇଲାକ ନିଶି

ଯେ ଯାହାର ଠାବେଣ ବିଜେକଲେ ଆସି।୪୦।

ନବକୋଟି ଯୋଦ୍ଧାନ୍ତ ଯେ ନବକୋଟି ଘର

ସୁଖେ ପହୁଡ଼ିଲେ ଯାଇ ସୁପାତି ଶେଯ୍ୟାର।୪୧।

ହଂସୁଲି ତୁଳି ପାତି ଜାଳନ୍ତି ମାଣିକ୍ୟର ଦୀପ

ଲମ୍ୱନ୍ତି ଚଉସରା ଯେ ଉପରେ ଚନ୍ଦ୍ରାତପ।୪୨।

ଜଳଧାରା ପାଇଲାକି ଚାତକ ନାମେ ପକ୍ଷୀ

ସ୍ୱାମୀପାଇ ସର୍ବକଷ୍ଟ ପାସୋରିଲେ ମୃଗାକ୍ଷୀ।୪୩।

ଗାଢେଣ ଆଲିଙ୍ଗନ କରନ୍ତି ବନିତା

ଅଧର ଚୁମ୍ୱିଣ ଯେ ଉପେକ୍ଷିଲେ ଚିନ୍ତା।୪୪।

କେବଣ ନାରୀ କାନ୍ଦି କହଇ ସ୍ୱାମୀଆଗେ

ୟେତେ ଅବସ୍ଥା ମୁଂ ହୋଇଲି ତୁମ୍ଭର ଅଭାବେ।୪୫।

କେ ନେଇ ସ୍ୱାମୀର ହୃଦେ କୁଚ ଲଗାଇ ପେଲି

ପ୍ରେମ କୁତୋହଳେ ଚାଟୁ ପଟଳକେ ବୋଲି।୪୬।

କେବଣ ନାରୀ ଋଷନ୍ତି ବେଉଷନ୍ତି ପୁରୁଷେ

କେ ପ୍ରେମ ରସେଣ ଯେ ପିଠିଦେଇ ବସେ।୪୭।

କେ ବୋଲଇ ତୋହୋର ଅପାଦ ପଡ଼ି ମୋହୋର ମାଥା

ଭ୍ରଥାର ଅଭାବେ ଆବର କଷ୍ଟ କେବଣ କଥା।୪୮।

କେବଣ ବାମା ଶୃଙ୍ଗାରେ ନାହିଂତ ବିଶ୍ରାମ

କେ ସ୍ତନ ଜାନୁ ଛିନାଇ ଉକୁଟାଇ କାମ।୪୯।

କେବଣ ନାରୀ ଭ୍ରଥାକୁ ହୃଦରେ ଶୁଆଇ

କେବଣ ନାରୀ ଭ୍ରଥାର ଚରଣ ଘଷଇ।୫୦

କେ ଭୁଜେ ଭିଡ଼ି ମୁଖେ ଦିଅନ୍ତି ଚୁମ୍ୱନେକ

ବଦନ ନିରୋପି କେ ପ୍ରେମେ କରନ୍ତି ଶୋକ

ହାହା ସ୍ୱାମୀ ମୋହୋର ଗଳାର ମାଣିକ।୫୧।

କେ ଋଷଇ କେ ହସଇ କେ ବସଇ ୟାଇଂ ଦୂରେ

କେବଣ ନାରୀ ବିଳପଇ କାନ୍ଦଇ ଉଚ୍ଚସ୍ୱରେ।୫୨।

ବିବିଧ ସମ୍ଭର୍ବେ ବନ୍ଧେଣ ସର୍ବ ରତି

ଲୋଚନ ଉନ୍ନିଦ୍ରେ ଯେ ବଞ୍ଚିଲେ ନିଶାରାତି।୫୩।

ମଦନ ପଞ୍ଚୁଶର ହୃଦେଣ ଗଲା ଫୁଟି

ପ୍ରକୃତି ନ ସରଇ ନ ପୂରଇ ଅଭୀଷ୍ଟି।୫୪।

ୟେସନେକେ ଯୁବା ସ୍ତିରୀ ଯୁବା ଯେ ପୁରୁଷ

କ୍ଷଣେକ ପ୍ରାୟେ ମଣିଲେ ରାତ୍ର ତାଂକୁ କିସ।୫୫।

ଅରୁଣ ପ୍ରକାଶେଣ ପାଇଲାକ ନିଶି

ସମସ୍ତ ପୁରୁଷେ ଯେ ହେଲେ ଶୂନ୍ୟବାସୀ।୫୬।

ଅଗ୍ନି ଅଶାନ୍ତି ଯେହ୍ନେ ତିରଣ କାଠ ଘୃତ ପାଇ

ପୁରୁଷ ଯୋଗ ସ୍ତିରୀଂକର କେବେହେଂ ଶାନ୍ତି ନାହିଂ।୫୭।

ମଦନ ଜ୍ୱରେ ଜଳଇ ତାହାଂକର ଅଙ୍ଗ

ତେବେ ସେ ରମଣୀୟେ ନ ଛାଡ଼ନ୍ତି ଅଙ୍ଗସଙ୍ଗ।୫୮।

ଭୁଜେଣ ଆକ୍ରେଷି ଧରି ଲୋଡନ୍ତି ଯୁବତୀ

କୋଳହିଂ ସେ ଅଛି ପୁରୁଷେ ନାହାନ୍ତି କତି।୫୯।

ଦୁଗୁଣ ବଇକୁଲ୍ୟ ହୋଇଲେ ସର୍ବବାଳୀ

ଆକାଶକଇଂ ଦୃଷ୍ଟି କରି ପାଡ଼ିଲେ ବୋବାଳି।୬୦।

ହାହାନାଥ ଆମ୍ଭନ୍ତ ଛାଡ଼ିଣ କେଣେ ଗଲ

ଶରୀର ଥୋଇ ଆମ୍ଭନ୍ତ ଜୀବନ କାଢିନେଲ।୬୧।

ଅଧର ଅମୃତ ମୁଖେ ପାନଦେଇ

ଆମ୍ଭନ୍ତ ଛାଡ଼ିଣ କେଣେ ଗଲ ହୋ ପଳାଇ।୬୨।

ପୂର୍ବ ଅନରୂପେ କିସ ଦେଖିଲ ଅନ୍ତର

ତେଣେ ସ୍ୱାମୀର ନୋହିଲୁ ମନର ଭିତର।୬୩।

ଛାଡ଼ି ଯେବେ ଯିବ ସ୍ୱର୍ଗୁ କିମ୍ପେ ଆସ

ଦୃଢ଼ପଣ ଆମ୍ଭର ଧଉର୍ଯ୍ୟପଣ ନାଶ।୬୪।

ସ୍ୱାମୀ ଆଶା ତେଜିଥିଲୁ ୟେବେ କଲ ଯେ କୃତାର୍ଥ

ୟେବେ ତୁମ୍ଭ ଯୋଗୁଂ ପ୍ରାଣ ତେଜିବୁଂ ଯଥାର୍ଥ।୬୫।

ନଖ ଦନ୍ତ ମୁଖ ଘାତ କଲ କୁଚେ ଚିହ୍ନ

ୟେତେକ କିମ୍ପାଇଂ ଯେ କଲ ବିଡ଼ମ୍ୱନ।୬୬।

ଗଲାର କଥା ହୋ କିମ୍ପେ ଦିଲ ହେତୁ

ୟେସନେକ ପ୍ରପଞ୍ଚେ ନାଥ କେବଣ ନାରୀ ବ୍ରତୁଂ।୬୭।

ବଥାୟିତ ପଣ ନାଥ କଲେକ ନଜାଣି

ତନୁର ପ୍ରାଣ ମୋର ଘେନିଗଲ ପୁଣି।୬୮।

ନାନା ଆଲିଙ୍ଗନ ଯେ କଲ ନିଶାକାଳେ

ବିଶ୍ୱାସ ଘାତକତା କଲ ଯିବାବେଳେ।୬୯।

ବିଳାପ ଶବଦ ଯହୁଂ ଶୁଭିଲାକ ବାଣୀ

ପାଣ୍ଡବେ ମଉନବ୍ରତ ଅପମାନ ଶୁଣି।୭୦।

ସ୍ୱାମୀ ସ୍ୱାମୀ ବୋଲି ଯେ ରୋବନ୍ତି ସର୍ବନାରୀ

ହାଥ ବଢ଼ାବନ୍ତି ସେ ଗଗନକୁ ପ୍ରସାରି।୭୧।

ଭୋ ନାଥ ଆମ୍ଭନ୍ତ ନିଅ ବୋଲି ବୋଲନ୍ତି କେବଣ ନାରୀ

କିସ ଅବା ଅରଜିବ ଘରଣୀକି ମାରି।୭୨।

ଯେସନେକେ ପଂକଜ ବିଘଂସଇ ଦେଖି ଅର୍କ

ଅନ୍ତରୀକ୍ଷେ ଥାଇ ନାଥ ଆମ୍ଭନ୍ତ ଦିଅ ବାକ୍ୟ।୭୩।

ଅନେକ ଶୋକ କରି ହସ୍ତିନାପୁର ସର୍ବନାରୀ

ବ୍ୟାସ ମହଋଷିଂକ ଚରଣେ ଯାଇଂ ପଡ଼ି।୭୪।

ଦନ୍ତେଣ ତିରଣ ଧରି ଯେ ସକଳ ଯୁବତୀ

ବ୍ୟାସ ମହଋଷିକଇଂ କଲେ ବହୁତ ତୁସ୍ତି।୭୫।

ଆମ୍ଭନ୍ତ ସ୍ୱାମୀଦାନ ଦିଅସି ମହଋଷି

ଶୁଣିଣ ବ୍ୟାସ ଦେବ ବୋଇଲେକ ହସି।୭୬।

ସ୍ୱାମୀଂକର ତୁଲେଯାଇତେ କି ଲୋଡ଼

ପତିଂ ଦେହି ପତିଂ ଦେହି ବୋଲି ଯେ କଲେକ ସଂକୋଡ଼।୭୭।

ବୋଇଲେ ତୋହୋର ଦୟାକଲେ ହେଂ ସିନା ତରି

ମର୍ତ୍ତ୍ୟପୁରୀ ତେଜି ଭୋଗିବୁ ଯେ ସ୍ୱର୍ଗପୁରୀ।୭୮।

ଷୋଳ ବରଷ ହୋଇଲା ନ ଦେଖିଲୁ ନୟନେ

ୟେ କଷ୍ଟ ପାସୋରିବୁଂ ବ୍ୟାସଂକ ପରସନ୍ନେ।୭୯।

କୃଷ୍ଣଂକର ଦୁତୀ ଆତ୍ମା ଋଷି କୁଳେଜାତ

ଆଷ୍ୟ ଅଇଶର୍ଯ୍ୟ ଯେ ଗ୍ୟାନ ବୁଦ୍ଧିବନ୍ତ।୮୦।

ପାର୍ଥନା ଶାହୀ ନାଥ ସଦୟେ ଭାବକ୍ଷମା

ସକଳ ବ୍ରହ୍ମାଣ୍ଡ ମଧ୍ୟେ ଯେବଣ ଋଷିର ମହିମାଂ।୮୧।

କାର୍ପଣ୍ୟ କାରଣ କରନ୍ତା ଯେବଣ ମୁନିବ୍ୟାସ

ମୁହିଂ ତାହାର ସୁବୁଦ୍ଧି ପଣକୁ କଲାଇଂ ଆଶ।୮୨।

ନିର୍ଭୀତ ନିରାପଦ ନିର୍ଭିନ୍ନ ନମାମି

ମହାମନ୍ତ୍ର ବଳେ ୟେହୁ ସେ ଶୂନ୍ୟଗାମୀ।୮୩।

ଅଗାଦି ସାଗରେ ମୁହିଂ ଅଛଇ ଯେ ପଶି

କିଞ୍ଚିତ ଅପ୍ରାଧେ ମୁଂ ହୋଇଲି ମହାଦୋଷୀ।୮୪।

ବେନି ମୃତ୍ତି ନିମନ୍ତେ ଯେ ମୁହିଂ ଶାପ ଘେନି

ଜନ୍ମିଲି ମୃତୁମଣ୍ଡଳେ ମନୁଷ୍ୟର ଯୋନି।୮୫।

ଯଦ୍ୟପି ମନୁଷ୍ୟେ ମୁହିଂ ହୋଇବଟି ଜାୟେ

ସଦଜନ୍ମ ମୋହୋର ହରିରେ ବିନୟେ।୮୬।

ଆଷ୍ୟ ବୁଦ୍ଧି ଆରୋଗ୍ୟ ଯେବଣ ଋଷି ଦ୍ୟନ୍ତା

ସୃଷ୍ଟିକରତା ପୁରୁଷେ କରିବା ୟେବେ ଚିନ୍ତା।୮୭।

କଇବ୍ରତୀର ନନ୍ଦନ ପାରେଶ୍ୱର ଗୋତ୍ରୀ

ଷାଠିୟେ ଲକ୍ଷ ପୁରାଣ ଗ୍ରନ୍ଥ ଯାହାରେ ନିଭ୍ରାନ୍ତି।୮୮।

ଶତେ ସହସ୍ର ଦଣ୍ଡ ପ୍ରଳମ୍ୱ ବ୍ୟାସଂକ ପଦ୍ମପାଦେ

ଶୂଦ୍ରମୁନି ସାରୋଳାଦାସ ଭାବନ୍ତି ସଦାହୃଦେ।୮୯।

ଭୋ ରାଜନ କନ୍ୟାଂକର ବଇକୁଲ୍ୟେ ଚିନ୍ତିଲେ ମହଋଷି

ସେହି ମୃତୁପୁରୁଷେ ତହୁଂ ବିଜେକଲେ ଆସି।୯୦।

ବ୍ୟାସେ ବୋଇଲେ ନିଅ ଯେ ଯାହାର ଭାରିଜା

ମତ୍ତଗର୍ବ କରିଣ ୟେ ଉପେକ୍ଷିଲେ ସର୍ବେ ଲଜ୍ଜା।୯୧।

ଶୁଣିଣ ପୁରୁଷେ କନ୍ୟାଂକର ହାତଧରି

ପିତୃଲୋକେ ବସିଲେ ଯାଇଂ ନୁଆଇଲେ ସ୍ୱର୍ଗପୁରୀ।୯୨।୪୦୬।

 

ବିଦୁରଙ୍କର ଯୁଧିଷ୍ଠିରଙ୍କ ଦେହେ ପ୍ରବେଶ ଓ
ଦେହ ସଂସ୍କାର

ବଦୟନ୍ତି ଅଗସ୍ତି ଶୁଣ ମନୁ ନରନାଥ

ବଇକୁଣ୍ଠେ ବସନ୍ତେ ଯେବେ ନ ନିଅନ୍ତେ ଭାରିଜାନ୍ତ।୧।

କିଞ୍ଚିତ କୃଷ୍ଣଂକୁ ଯେଣୁ ଚିନ୍ତିଲେକ ଦ୍ରୋହ

କୃତାନ୍ତକ ବୋଇଲେ ତୁମ୍ଭେ ପିତୃଲୋକେ ରହ।୨।

ଦେଖିଣ ପରମ ସନ୍ତୋଷ ଅଂଧ ବିଦୁର ସଞ୍ଜୟେ

ପାଣ୍ଡବେ ସହିତେ ଯେ ଆଶ୍ରିତ ସଭିୟେଂ।୩।

ଉଦବେଗ ଚକିତେ କେହି ନ କହନ୍ତି କଥା

ମନୁଷ୍ୟେ ଅସମ୍ଭବ ଦେଖିବାକୁ ଅବସ୍ଥା।୪।

ବ୍ୟାସଂକ ପଦ୍ମପାଦେ ପ୍ରଣପତ୍ୟ ତୁଷ୍ଟ ମନେ

ମୃତୁପାତକ ତେଜିଲେ ବ୍ୟାସଂକ ପରସନ୍ନେ।୫।

ଯୁଝେଷ୍ଠି ବୋଇଲେ ଯେବଣ କର୍ମ ଶାହାସ୍ରେ ନ ଶୁଣିଲା

ତୋହୋର ମହିମାଂରେ ୟେବେ ଚଛୁରେ ଦେଖିଲା।୬।

ଦୁଖର ଅଶେଷ ଜିଣିଲାଉଂ ୟେବେ

ୟେ ସଂସାର ସାଗରୁ ତରିବାକ ତୋହର ଭାବେ।୭।

ଧୃତିରାଷ୍ଟ ବୋଇଲେ ଯୁଝେଷ୍ଠିଂକ ଆଗ

ତୋହୋର ବିଳମ୍ୱ ନ ସହଇ ଯୋଜନ ପରଜା ଉଦବେଗ।୮।

ବାବୁ ସୁଚିତ୍ତେ ପରଜାନ୍ତ ପାଳି ଥାଅସି ଭଲେ

ସମସ୍ତେ ଅନ୍ଧପଟଳଟି ତୋହୋର ନଗରେ।୯।

ଧୃତିରାଷ୍ଟଂକ ତିଆରନ୍ତେ ଚଳନ୍ତି ପାଣ୍ଡବେ

ପ୍ରବେଶ ହୋଇଲେ ଯାଇଂ ଜଇନ୍ତା ନିଜ ଠାବେ।୧୦।

ଅନୁଦିନେ ଯାଇ ହସ୍ତିନାୟେ ପରବେଶ

ଯେ ଯାହାର ଭୁବନେ ଯାଇଂ ପଶିଲେ ନିଜବାସ।୧୧।

ଅଗସ୍ତିଂକ ପାଶେ ବଇବସୁତ ମନୁ ବୋଇଲା

ବନସ୍ତେ ଧୃତିରାଷ୍ଟ ଅଟନ୍ତି ସତ୍ୟବାଦୀ

ମିଛ ବାକ୍ୟ କହିଲେ ହୁଅନ୍ତି ଅପରାଧୀ।୧୩।

ଠାବେ ଠାବେ କରିଣ ସେ ଚଳିଗଲେ ଚାର

କାହାତୁଣ୍ଡେ ମିଥ୍ୟାବାକ୍ୟ ନୋହିବ ବାହାର।୧୪।

ପରଜାର ଅରିଷ୍ଟି ନ ଧରିବାକୁ ମନ

କୃଷି ଉପୁଜାଇ ହରଷେ ନ୍ୟନ୍ତି ଦିନ।୧୫।

ପରଜାଂକର ଭୁବନ ନିର୍ବାଣ କଣୟ ଢାଂକୁଣି

ସୁବର୍ଣ୍ଣର କଳସ ଘରେ ଘରେ ମଣ୍ଡଣି।୧୬।

ପୁତ୍ରେ ମାତା ପିତାକଇଂ ହୋଇଥିକେ ବଶ

ଇନ୍ଦ୍ର ଜାଣିଣ ବୃଷ୍ଟି କରିବ ଯେ ଉପୁଜିବ ଶସ୍ୟ।୧୭।

ବିସ୍ତର ଆହୂତି ଯେ ପିବନ୍ତି ବହନି

ସକଳ ବ୍ରାହ୍ମଣଂକ ମୁଖେ ଶୁଭଇ ବେଦ ଧୁନି।୧୮।

ଜରା ଅବସ୍ଥା ନାହିଂ ସର୍ବେ ଦିଶନ୍ତି କନ୍ଦର୍ପ ପରା

ଫଳ ପତ୍ର ବୃଷାଳ ପାଦପେ ଶୋଭିତ ଯେ ଧରା।୧୯।

ଆବର ବିହରିଣ କୋଳାହଳ ସଙ୍ଗ

ପବନ ଗତି ଜାଣି ଚଳନ୍ତି ବାଜୀ ଯେ ମାତଙ୍ଗ।୨୦।

ବିବିଧ ପଦ୍ମାକରେ ବିବିଧ ମରୁଳ ଚକ୍ରକେଳି

ସରୋଳ ଉତ୍ପଳେ ଯେ ଚୁମ୍ୱନ୍ତି ଭୃଙ୍ଗମାଳି।୨୧।

ପିକଜନ୍ତୁ ଭାଷନ୍ତି ଶୁକସାରୀ ନାଦେ

ତେଜନ୍ତି ସଭିହେଂ ଯେ ପବନ ଉନ୍ନାଦେ।୨୨।

ବ୍ରତ ଉପବାସ କରନ୍ତି ଦେବ ସେବା

ମୃଦୁ ତିରଣ ଗ୍ରାସେ ପୟସାବନ୍ତୀ ପିବା (ପୃଥୁଳା) ।୨୩।

ଆରୋଗ୍ୟ ଅପାଦେ ବଞ୍ଚନ୍ତି ଯେ ଜନ

ସର୍ବ ଘରେ ସଞ୍ଚିତ ପଢ଼ନ୍ତି ଯେ ବିଷ୍ଣୁପୁରାଣ।୨୪।

କାମ ଅର୍ଥେ ବଶ ନୋହନ୍ତି ଯେ ମୋହୀ

ଅପାରଗ ଜନ ସେ ସ୍ଥାନେ ନାହି କେହି।୨୫।

ଯେ ଯାହାର ଅଧିକାରେ ବଞ୍ଚନ୍ତି ପୁରୁଷେ

ତଣ୍ଡ ଅପତଣ୍ଡ ନାହିଂ ଧନ ଲୋଭ ଆଶେ।୨୬।

ଗୁରୁଜନେ ଭଗତି ସର୍ବେ ନାହିଂ ପରଦାରା

ଦୁଖୀ ଟସକର ନାହିଂ ପରଧନ ହରା।୨୭।

ଗ୍ରାମେ ଅକାରଣେ ବୃଷ୍ଟି ନକରନ୍ତି ମେଘେ

କୃଷି ଉପୁଜାଇ ଭୂମି ପାଳୁଥାନ୍ତି ଇନ୍ଦ୍ର ଦେବେ।୨୮।

ଇନ୍ଦ୍ରିୟରେ କେହୁ ଯେ ନୁହନ୍ତି ଉନମତା

ଶ୍ରବଣେ ନଶୁଣନ୍ତି ପରାପର ଚିନ୍ତା।୨୯।

ପାପକର୍ମ କଥାରେ ନକରନ୍ତି ଲୟେ

ସମସ୍ତେ ଦିଶନ୍ତି ଯେ ରାଜକୁମାର ପରାୟେ।୩୦।

ଯମର ଅନୀତି ଯେ ନ ଶୁଣନ୍ତି ଶ୍ରବଣେ

ମଙ୍ଗଳ ଧୁନି ଶୁଭଇ ସକଳ କାମିନୀଗଣେ।୩୧।

ୟେ ବିଧିରେ ଯୁଝେଷ୍ଠିଂକର ରାଜ୍ୟ ଯେ ସମ୍ପଦ

ଧୃତିରାଷ୍ଟ ତହିଂକି ଯିବାକଇଂ ମନଖେଦ।୩୨।

ଭାଇ ଅମନାତ୍ୟ ସଇନି ସଂଗତେ ଗଲେ ଘେନି

ଧୃତିରାଷ୍ଟ ସନ୍ନିଧ୍ୟେ ଯାଇଂ ମିଳିଲେ ନୃପମଣି।୩୩।

କୋଇନ୍ତା ଗାନ୍ଧାରୀ ଧୃତିରାଷ୍ଟ ଅନ୍ଧରାଜା

ସବୁଂକୁଇଂ ଯୁଝେଷ୍ଠି ଯେ କରନ୍ତି ପାଦପୂଜା।୩୪।

ଯୁଝେଷ୍ଠି ପୁଚ୍ଛିଲେ ତାତ ବିଦୁର ତ ନାହିଂ

ଧୃତିରାଷ୍ଟ ବୋଇଲେ ସେ ଉତ୍ତରାଂକୁରେ ଅଛି ରହି।୩୫।

ପ୍ରାଣ ସୋଦର ସେ ବିଦୁରେ ମୋତେ ସାହା

ୟେବେ ମାସ ଦୁଇହେଲା ମୁଂ ନଦେଖଇ ତାହା।୩୬।

ଅନୁଦିନ ବିଦୁରକଇଂ ଦେଖିତ ମୋର ନାହିଂ

ମରଣ କାଳ ଜାଣି ମୋତେ କେହିତ ନଗଛଇ।୩୭।

ପ୍ରାଣହୀନେ ମୁହିଂ ସେ ଅଟଇ ଅଶକତା

ତୋହୋର ଜନନୀ ସେ ମୋତେ କରନ୍ତି ଚିନ୍ତା।୩୮।

ମୋହୋର ସଙ୍ଗେଣ ଯେବେ ନଥାନ୍ତା ତୋହୋର ମାୟେ

କେତେଦିନୁ ଲୋଟନ୍ତାନା ଆମ୍ଭର ୟେ କାୟେ।୩୯।

ୟେତେକ କହନ୍ତେଣ ମିଳିଲା ବିଦୁର

କେହି ନ ଦେଖିଲେ ୟେକା ଦେଖନ୍ତି ଯୁଝେଷ୍ଠିର।୪୦।

ନିକଟେଣ ଆସି ଯୁଝେଷ୍ଠିର ମୁଖ ଚାହିଂ

ପୁଣ ବାହୁଡ଼ିଣ ଗଲା ଚକ୍ଷୁ ଠାରିଦେଇ।୪୧।

ଯୁଝେଷ୍ଠି ଉଠିଲେ ରାଇଲା ପ୍ରାୟେ ବୁଝି

ପଛେ ପଛେ ଗୋଡ଼ାଇଲେ ଧର୍ମେ ବନ ମଝି।୪୨।

ଅନ୍ତର ଅନ୍ତର ହୋଇଣ ବିଦୁର ଯାଉଅଛି

କେତେହେଂ ଦୂରେ ଯାଇ ବିଶ୍ରାମ କରିଅଛି।୪୩।

ଲିମ୍ୱ ତଳେ ଯାଇଂ ବସିଲା ଶୂଦ୍ରଯୋନି

ଯୁଝେଷ୍ଠିଂକର ମୁଖ ନିରୋପଇ ବେନିନେତ୍ର ଘେନି।୪୪।

କୃଷ୍ଣକୃଷ୍ଣ ବୋଲିଣ ହୃଦୟେଣ ପଡ଼ି

ଉର୍ଦ୍ଧ୍ୱଂମୁଖେ ତାହାର ପ୍ରାଣ ଗଲା ଛାଡ଼ି।୪୫।

ଯୁଝେଷ୍ଠିଂକ ଆତ୍ମାୟେ ବେଗେ ପଶିଲା ତାର ପ୍ରାଣ

ରାଜାବୋଇଲା ମୋହୋର ତେଜ ତ ଦୁଗୁଣ।୪୬।

ଜାଣିଲି ବିଦୁର ଯେ ପଶିଲେ ମୋହୋର ଗର୍ଭେ

କିମ୍ଭୂତ ଶରୀର ମୋହୋର ବଡ଼ିମାଗୁଣ ୟେବେ।୪୭।

ୟେତେକ ଚିନ୍ତିଣ ସେ ସନ୍ନିଧ୍ୟେ ମହୀପାଳ

ବିଦୁର କାୟା ଯେ ଭୁଜେ ତୋଳି ଧରି କଲେ କୋଳ।୪୮।

ଦେଖିଲେ ଆତ୍ମା ଶରୀରେ ତାର ନାହିଂ

ମୋହିତ ଧର୍ମରାଜା ବିଦୁର କୋଳେ ଲାଇ।୪୯।

ଅଶ୍ରୁଜଳେ ବିଦୁରକଇଂ କରାଇଲେ ସ୍ରାହାନ

ଆଜ ସେ ପ୍ରାଣତ୍ୟାଗ ହୋଇଲେ ପଣ୍ଡୁ ଯେ ରାଜନ।୫୦।

ହିତ ପ୍ରୀତି ଗୁଣ ବୋଲି ବୋଲିବାକ ଯାହା

ଆଜ ସେ ତୁଟିଲାକ ମୋହୋର ଡାହାଣ ଯେ ବାହା।୫୧।

ସଂକଟକାଳେ ୟେ ମୋହୋର ସନ୍ନିଧ୍ୟେଣ ଥିଲା

ୟେତେଦିନ ପିତାମାତା ପୁତ୍ରବନ୍ଧୁ ସମସ୍ତ ପଡ଼ିଲା।୫୨।

ବିଦୁର ବେନିକର ଧରିଣ ଯୁଝେଷ୍ଠି ମହାରାଜା

ଆଲିଙ୍ଗନ ଯୁଗତେ କଲେକ ଭୂମିଶଯ୍ୟା।୫୩।

ବନକୁ ଅଇଲି ତାତ ତୋତେ ଦେଖିବାର ପାଇଂ

କିସ ବୋଲି କହିବଇଂ ପୁରେ ମୁହିଂ ଯାଇଂ।୫୪।

କଉରୋବ ମଧ୍ୟେ ମୋତେ ତୁମ୍ଭେ ସେ ସଦୟେ

କେ ମୁକୁ ପରମାଦୁଂ କରିବାକ ଜୟେ।୫୫।

ଧୃତିରାଷ୍ଟ ଶୁଣିଲେ ହୃଦୟେ କେହ୍ନେ ଧରି

କୋଇନ୍ତା ଗାନ୍ଧାରୀ କେମନ୍ତେଣ ତରି।୫୬।

ୟେତେ ବୋଲି ଯୁଝେଷ୍ଠି ମୃତୁପିଣ୍ଡ ଛାଡ଼ିଲେ

ସଂସ୍କାର କରିବାକୁ ଅଗ୍ନି ଆରୋପିଲେ।୫୭।

ଅଗ୍ନିରେ ନେଇ ସଂଜାଳିଲେ ମୃତୁଶବ

ରୋମେକ ନ ପୋଡ଼ିଲା କାୟ ଅଛି ସର୍ବ।୫୮।

ଆକାଶୁଂ ବାଣୀ ଯେ ପଡ଼ିଲା ଉର୍ଦ୍ଧ୍ୱଗତି

ବିଦୁରକଇଂ ଦହନ ନ କରାଅ ଭୂଅପତି।୫୯।

ବ୍ରହ୍ମଗ୍ୟାନ ଉପଦେଶ ଅଛଇ ସେ ପାଇ

ଗ୍ୟାନବନ୍ତ କାୟା ତୁ ଦହିବୁ କିସ ପାଇଂ।୬୦।

ବ୍ରହ୍ମଗ୍ୟାନୀ ସେ ଅଟଇ ଦିଅସି ମୃତ୍ତିକା

ତୁ ୟେଥି ବିଳମ୍ୱ ନ କରନି ୟେକା।୬୧।

ଆକାଶର ବାଣୀ ଶୁଣିଲା ରାୟେ ଉଚ୍ଚେ

ଭୂମି ଖୋଳିଲା ରାୟେ ଘେନିଣ କାଠ ଖୋଞ୍ଚେ।୬୨।

ତହିଂ ଗମ୍ଭୀରେ ବିଦୁରକଇଂ ପୋତିଲା ନିଠିଆଇ

ତହୁଂଣ ଅଇଲା ରାୟେ ବିମୁଖ ମନହୋଇ।୬୩।

ଧୃତିରାଷ୍ଟ ଅଗ୍ରତେ ମିଳିଲେକ ଯାଇଂ ନୃପ

ବ୍ୟାସେ କହିଲେ ସେ ବିଦୁର ସରୂପ।୬୪।

ଶୁଣି ଧୃତିରାଷ୍ଟ ଯୁଝେଷ୍ଠିଂକି ଦିଲେ ଶିକ୍ଷା

ତୁ ଯାଅ ଯା ବାବୁ ଯୁଝେଷ୍ଠି ରାଜ୍ୟ କର ରକ୍ଷା।୬୫।

ଆଉ ବାବୁ ଆମ୍ଭରେ ପିରୋଜନ କିସ

ଆମ୍ଭନ୍ତ ମହାତ୍ମା ଆଉ ନକର ତୁ ଆଶ।୬୬।

ମୋହୋର ଜୀବନ୍ତେ ଯେବେ ବିଦୁର ବଧ ଶୁଣିଲି

ଆମ୍ଭର କିସ ଗଣିତା ବାବୁ ଆମ୍ଭେ ଆଜିକାଲି।୬୭।

ବିମୋହ କରି ଯହୁଂ ବୋଇଲେ ଧୃତିରାଷ୍ଟ

ତହୁଂ ବାହୁଡ଼ିଲେ ରାୟେ ପାଇଣ ମହାକଷ୍ଟ।୬୮।

ହସ୍ତିନାପୁରେ ଯାଇ ହୋଇଲେ ପ୍ରବେଶ

ବିଦୁର ଅମଙ୍ଗଳ କହିଲେ ଭାଇଂକର ପାଶ।୬୯।

ଶୁଣିଣ ବିକଳ ଯେ ହୋଇଲେ ଚାରିଭାଇ

ଅନେକ ଶୋକ କଲେ ଗୁଣମାନ ଦେଖାଇ।୭୦।

ୟେଥୁ ଅନନ୍ତରେ ରାଜା ପାଳିଲାକ ମହୀ

ଦୁଖ-ସୁଖ ଆତ୍ମା-ଗୁଣ ନାହିଂ କହି।୭୧।୪୭୭।

 

ସଞ୍ଜୟର ପଳାୟନ, ଧୃତିରାଷ୍ଟ୍ର, ଗାନ୍ଧାରୀ ଓ
କୁନ୍ତୀ ବନଦାହେ ଦହନଓ ଅନ୍ତ୍ୟେଷ୍ଟିକ୍ରିୟା

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ବିଦୁର ମଲାର ହୋଇଲା ବରଷକ ସଂଗତି।୧।

ଜ୍ୟେଷ୍ଠ ନକ୍ଷତ୍ର ଯେ ଅଟଇ ସେ ଦିନର।୨।

ନାଗ ନାମରେ କରଣ ଅତିଗଣ୍ଡ ଯୋଗ

ଗଂଗା କୂଳେ ପର୍ବତ ଯା ଅଟେ ମଧ୍ୟସ୍ୱର୍ଗ।୩।

ସେ ପର୍ବତ ଉପର ବୃକ୍ଷେ ଡାଳେ ଡାଳେ ଘଷି

ଅଗ୍ନି ବାହାର ହୋଇଲା ତେଜ ପରକାଶି।୪।

ଆକାଶେ ବିକାଶିଲା ବନାନଳ ତେଜ ମୃତ୍ତି

ପୋଡ଼ିଲା ବନସ୍ତ ଯେ ଲାଗିଲା ଗଗନ ଗତି।୫।

ଦେଖିଣ ସଂଜୟ ଯେ ଧାମଇ ଅତିବେଗେ

ଧାଇଂଯାଇ କହିଲା ସେ ଧୃତିରାଷ୍ଟ ଆଗେ।୬।

ଭୋ ସ୍ୱାମୀ ଦହିଜ ଯେ ହୋଇଲାକ ବନ

ପିଠିରେ ବସ ମୋହୋର ପଳାଇବା ବହନ।୭।

ୟେକେ ୟେକେ ତୁମ୍ଭନ୍ତ ଥୋଇବି ନିରୋଳ ବନେ

ନକର ଆଉ ଭରସା ପଳାଇବା ବହନେ।୮।

ଧୃତିରାଷ୍ଟ ବୋଇଲା ହୋ ବଳ ପ୍ରାଣ ନାହିଂ

ଶୀଘ୍ର ଗତି ଯାଇ ଅବା ପାରିବଇଂ କାହିଂ।୯।

ଅଛି ଚର୍ମପିଣ୍ଡର ଯେ ମହା ଘୋର ଦୁଖ

ଜୀବନ୍ତେ ଆଶା ନାହିଂ ଅଗ୍ନି କରୁ ଭକ୍ଷ।୧୦।

ଅନୀତି ଶରୀର ୟେ କିମ୍ପାଇ ଘେନିଥିବା

ଅବଶ୍ୟ ଜନ୍ମକଇଂ ବେଳେ ମୃତୁ ଯେ ଲଭିବା।୧୧।

ଧୃତିରାଷ୍ଟ ବୋଇଲେ ଲାଗିଲା ନି ତବତ

କେତେ ଦୂରେ ହୋ ଘେନି ଯିବୁସି ଆମ୍ଭନ୍ତ।୧୨।

ଶରୀର ଅଶକତ ନୁଆରଇ ଚରଣ କାଢ଼ି

ଯାଅ ଯା ସଂଜୟ ତୁ ଆମ୍ଭନ୍ତ ୟେଥେଂ ଛାଡ଼ି।୧୩।

ଦେଖ ଦେଖ ବହତି ଯେ ପଡୁ ଅଛି ଧାଇଂ

ଭୟେଣ ସଂଜୟେ ତହୁଂ ଗଲେକ ପଳାଇ।୧୪।

ଧାତିକାରେ ଆସି ଲାଗିଲା ପର୍ଣ୍ଣକୂଟୀ

ଦହନ ହୋଇଲେ ତହିଂ ଗାନ୍ଧାରୀ ଧୃତିରାଷ୍ଟି।୧୫।

ଦଇବ ଦଇବ ବୋଲି ସୁମରିଣ କୋନ୍ତୀ

ତାହାଂକ ଉପରେ ଅଗ୍ନି ପଡ଼ିଲା ତଡତି।୧୬।

ଜ୍ୟେଷ୍ଠ କୃଷ୍ଣ ଅମାବଇ ଗାନ୍ଧାରୀର ଜନ୍ମ

ସେହୁ ଦିବସେଣ ସେହୁ ହୋଇଲେ ଦହନ।୧୭।

ଶୁଣ ହୋ ରାଜନ ହସ୍ତିନାୟେ ନାରଦ କଲେକ ବିଜୟେ

ଦେଖିଣ ପୂଜାକଲେ ଧର୍ମର ତନୟେ।୧୮।

ନାରଦ ବୋଇଲେ ତୁ କାହିଂକି କରୁ ପୂଜା

ମୃତ୍ତିକା ଯୋଗ ତ ହୋଇଲା ମହାରାଜା।୧୯।

ଜ୍ୟେଷ୍ଠକୃଷ୍ଣ ଅମାବଇ ଅର୍କବାର ଦିନ

ଧୃତିରାଷ୍ଟ ଗାନ୍ଧାରୀ କୋନ୍ତୀ ହୋଇଲେନି ଦହନ।୨୦।

ବନ ପୋଡ଼ନ୍ତେଣ ଦହିଜ ହୋଇଲାକ କାୟେ

ଶୁଣିଣ ମୃକ୍ଷାଗତ ହୋଇଲେ ଧର୍ମରାୟେ।୨୧।

ଅପାର କ୍ରୋଧଯେ କଲେକ ପାଞ୍ଚଭାଇ

ଯୁଝେଷ୍ଠି କୋପକଲେ ଅଗ୍ନି ଦେବତାକଇଂ।୨୨।

ଯେ ସେ ଅଟଇ ମହାବ୍ରହ୍ମ ବହନି

ସ୍ତିରୀଲିଙ୍ଗ କେମନ୍ତେ ଦହିଲା ମୋହୋର ଜନନୀ।୨୩।

ନାରଦେ ବୋଇଲେ ତୁ ଶୁଣ ନୃପବର

କିଛି ଦୋଷ ନାହିଂ ଅଗ୍ନି ଦେବତାଂକର।୨୪।

ଧୃତିରାଷ୍ଟ ଗାନ୍ଧାରୀର ଯେତେବେଳେ ଦହିଲା ଶରୀର

ତହୁଂ ମାତା ତୋହୋର ଥିଲା ଅନ୍ତର ଧୂର।୨୫।

ତିରଣନ୍ତ ଆଦିକରି ପବନ ପକାଇ

ତହୁଂ ସେ ଦୋହରା ଯେ ଅଗ୍ନି ତେଜ ହୋଇ।୨୬।

ବେନି ଅଗ୍ନି ଯୋଗେ ମଲା ପଣ୍ଡୁରାଣୀ

ବିଚାରିଣ ଶାପ ଦେବୁ ତୁ ନୃପମଣି।୨୭।

ଅଗ୍ନିକି ଭୃଗୁ ମହଋଷି ଅଛନ୍ତି ଶାପ ଦେଇ

ସର୍ବ ଭକ୍ଷନ୍ତେଣ ତାହାକଇଂ କିଛିହିଂ ଦୋଷ ହାଦେ ନାହିଂ।୨୮।

ସେ ମୃତୁ ମଣ୍ଡଳେ ଅମର କାହିଂ ଦେଖୁ

ମୋହୋର ଜନନୀ ବୋଲି ମୋହ ଜଳ ରଖୁ।୨୯।

ୟେତେ ବୋଲି ପରମେଷ୍ଠି ପୁତ୍ର ଗଲେ ଶୂନ୍ୟେ

ଧଉମ୍ୟ ପ୍ରୋହିତଂକୁ ଯୁଝେଷ୍ଠି ପଠିଆଇଲେ ବହନେ।୩୦।

କ୍ରିୟା ପ୍ରେତ କାର୍ଯ୍ୟ କରାଅ ଯାଇଂ ଯଥା

ଯମନ୍ତେ ପରମଗତି ପାବନ୍ତି ପିତାମାତା।୩୧।

ୟେକା ବସ୍ରକେ ଯେ ଗଲେ ପାଣ୍ଡବମାନେ

ଦଶ ଦିବସେ ପ୍ରବେଶ ଧୃତିରାଷ୍ଟ ମୃତୁଥାନେ।୩୨।

ଦେଖିଲେ ଦହନସ୍ଥାନେ ନାହିଂ ଚର୍ମ ଅସ୍ଥି

ଗଙ୍ଗା କୂଳେ ରହି ପିତୃକାର୍ୟ୍ୟ ସେ କରନ୍ତି।୩୩।

ଗଜ ତୁରଙ୍ଗମ ଗୋଧନ ପୃଥୀ ଦାନ

ଭୋଜନ ସମ୍ଭର୍ବେ ଯେ ଦିଅନ୍ତି ଅବିକ୍ଷଣେ ଅନ୍ନଦାନ।୩୪।

ଗଙ୍ଗା କୂଳରେ ଯେ ସମସ୍ତ କାର୍ଯ୍ୟସାରି

ବିଜୟେ ଧର୍ମନନ୍ଦନ ଦଇତ ସୁମରି।୩୫।

ଅନୁଦିନେ ହସ୍ତିନାପୁରେ ପରବେଶ

ୟେଥୁ ଅନନ୍ତରେ ହୋଇଲା ଆଶ୍ରମ ବାସଶେଷ।୩୬।

ବିଷମ ସନ୍ଦେହ ଯେ ନ ପାବନ୍ତି ଲୋକ

ୟେହା ଶୁଣନ୍ତେଣ ନରେ ଉପେକ୍ଷିଲେ ଦୁଖ।୩୭।

ଶ୍ରୀକୃଷ୍ଣର ମହିଂମା ଯେ ଶ୍ରବଣେଣ ଶୁଣି

ୟେ ସଂସାର ସାଗରୁ ଯେ ଡରିବାକ ପ୍ରାଣୀ।୩୮।

ଶ୍ରୀକୃଷ୍ଣର ପଞ୍ଚୁଆତ୍ମା ଅଟନ୍ତି ପଞ୍ଚୁଭ୍ରାଥେ

ଯେହୁ କୃଷ୍ଣ ସେହୁ ପାଣ୍ଡବେ ଯଥାର୍ଥେ।୩୯।

ଅନେକ କଉତୁକ ନସରନ୍ତି କହନ୍ତେ

ଶ୍ରୀକୃଷ୍ଣ ଅନୁରାଗେ କିଛୁ ବାକ୍ୟ ମୋତେ।୪୦।

ଶ୍ରୀବାସୁଦେବଂକ ପାଦପଂକଜ ମୋହୋର ଶିରେ

ବଦୟନ୍ତି ସାରୋଳାଦାସ ଶ୍ରୀମହାଭାରଥରେ।୪୧।୫୧୮।